ନନ୍ଦପୁର/ପାଡୁଆ, ୨୭ା୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତ କଟରାଗୁଡା ଗ୍ରାମରେ ୩ ଦିବ୍ୟାଙ୍ଗ ପୁଅଙ୍କୁ ନେଇ ରହୁଥିବା ଜଣେ ବିଧବା ମହିଳା ରାଧା ଖିଲଙ୍କୁ ରାଶନ କାର୍ଡ ଓ ଚାଉଳ ମିଳିଛି। ଉକ୍ତ ପରିବାରକୁ କଓ୍ବୋଇସି ହୋଇ ନ ଥିବା ଦର୍ଶାଇ ରାଶନ କାର୍ଡ ଅଚଳ କରି ୩ ମାସ ଚାଉଳ ଦିଆ ନ ଯିବା ଘଟଣା ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହା ପରେ ବ୍ଲକ ଓ ଯୋଗାଣ ବିଭାଗ ପକ୍ଷରୁ ଏହି ପରିବାରଙ୍କ ଘରକୁ ଯାଇ ୪ ଜଣଙ୍କ କେୱାଇସି କରିବା ସହ ନୂତନ ରାଶନ କାର୍ଡ ଓ ଚାଉଳ ପ୍ରଦାନ କରିଛନ୍ତି। ଏହି ପରିବାରର ରାଶନ କାର୍ଡ ଅଚଳ ଖବର ପାଇ ବିଡିଓ ଦୁର୍ଗାପ୍ରସାଦ ଦୋରା ଓ ଜିଲା ସହକାରୀ ଯୋଗାଣ ଅଧିକାରୀ ସୌଭାଗ୍ୟରଞ୍ଜନ, ବ୍ଲକ ଯୋଗାଣ ନିରୀକ୍ଷକ ବଳରାମ ଜେନାଙ୍କୁ ତଦନ୍ତ ସହ ରିପୋର୍ଟ ପ୍ରଦାନ କରି ଚାଉଳ ବଣ୍ଟନ ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯୋଗାଣ ନୀରିକ୍ଷକ ଜେନା ପାଡୁଆ ପଞ୍ଚାୟତ ଚାଉଳ ବଣ୍ଟନ କେନ୍ଦ୍ର ପରିଦର୍ଶନ କରି ଡିଲରଙ୍କୁ ତାଗିଦା କରି ପରିବାରର କେୱାଇସି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରାଯାଇଛି। କେୱାଇସି ପରେ ପରିବାରକୁ ରାସନ କାର୍ଡ ଓ ଚାଉଳ ଦିଆଯାଇଥିବା ବ୍ଲକ ଯୋଗାଣ ନୀରିକ୍ଷକ ଜେନା ସୂଚନା ଦେଇଛନ୍ତି।