Categories: ଜାତୀୟ

ଅହମ୍ମଦାବାଦରେ ରଥଯାତ୍ରା ଆରମ୍ଭ: ମୁଖ୍ୟମନ୍ତ୍ରୀ କଲେ ଛେରାପହଁରା

ଅହମ୍ମଦାବାଦ,୧।୭: ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହାଆଡମ୍ବରରେ ପାଳନ କରାଯାଏ। କେବଳ ପୁରୀ ନୁହେଁ, ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଚଳିତ ବର୍ଷ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ୧୪୫ତମ ରଥଯାତ୍ରା ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏଥିରେ ଯୋଗ ଦେଇ ସୁନା ଝାଡୁରେ ଛେରାପହଁରା କରିଥିଲେ। ଏହାପରେ ଚାରିଦିଅଁଙ୍କୁ ରଥରେ ବସାଇ ସରସପୁରରେ ଥିବା ମାଉସୀ ମା’ ମନ୍ଦିର ନିଆଯିବ।
ଆଜି ପୁରୀରେ ମଧ୍ୟ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଚାରିଦିଅଁଙ୍କ ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢେ ୩ଟାରେ ମଇଲମ ନୀତି ଶେଷ ହୋଇଥିଲା। ଏହା ସହିତ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା। ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ପ୍ରାୟ ସାଢେ ୬ଟାରୁ ପହଣ୍ଡି ଆରମ୍ଭ ହୋଇଯାଇଥିଲା। ପ୍ରଥମେ ଗୋଟି ପହଣ୍ଡିରେ ଆସି ଶ୍ରୀ ସୁଦର୍ଶନ ରଥାରୂଢ ହୋଇଥିଲେ। ତାଙ୍କ ପରେ ପରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଶେଷ ହୋଇଥିଲା। ଛେରାପହଁରା ନୀତି ଶେଷ ହେବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ।

Share