୬୮ ବର୍ଷ ପରେ ଏୟାର ଇଣ୍ଡିଆର ଘର ବାହୁଡା: ରତନ ଟାଟା କହିଲେ ‘ଓ୍ବେଲ୍‌କମ୍‌ ବ୍ୟାକ୍‌’

ନୂଆଦିଲ୍ଲୀ,୮।୧୦: ଏୟାର ଇଣ୍ଡିଆକୁ କିଣିଛି ଟାଟା ସନ୍ସ। କମ୍ପାନୀ ଏଥିପାଇଁ ୧୮,୦୦୦ କୋଟି ଟଙ୍କାର ସବୁଠାରୁ ବଡ ଡାକ ଲଗାଇଥିଲା। ଫଳରେ ୬୮ ବର୍ଷ ପରେ ଏୟାର ଇଣ୍ଡିଆ ଘର ବାହୁଡ଼ିବ। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରକ୍ରିୟା ଡିସେମ୍ବର ୨୦୨୧ ସୁଦ୍ଧା ଶେଷ ହେବ। ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଟାଟା ଗ୍ରୁପ ଚେୟାରମ୍ୟାନ ରତନ ଟାଟା। ଏୟାର ଇଣ୍ଡିଆ ଉଦ୍ଦେଶ୍ୟରେ ଟୁଇଟ୍‌ କରି ସେ ଲେଖିଛନ୍ତି ‘ଓ୍ବେଲକମ୍‌ ବ୍ୟାକ୍‌। ଏଥିସହ ସେ ଏକ ପୁରୁଣା ଚିତ୍ର ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ଜେଆର୍‌ଡି ଟାଟା ନଜର ଆସିଛନ୍ତି। ଏୟାର ଇଣ୍ଡିଆକୁ ପୁନର୍ଜୀବିତ କରିବା ପାଇଁ ସମସ୍ତ ଉଦ୍ୟମ କରାଯିବ। ବିମାନ ଚଳାଚଳ କ୍ଷେତ୍ରରେ ନୂତନ ସମ୍ଭାବ୍ୟତାର ଦ୍ୱାର ଖୋଲିବ ବୋଲି ସେ କହିଛନ୍ତି।

ଉକ୍ତ ଭାବପ୍ରବଣ ବାର୍ତ୍ତାରେ ରତନ ଟାଟା ଲେଖିଛନ୍ତି, ଜେଆର୍‌ଡି ଟାଟାଙ୍କ ସମୟରେ ଏହା ଦୁନିଆର ଅନ୍ୟତମ ପ୍ରତିଷ୍ଠିତ ବିମାନ କମ୍ପାନୀ ଥିଲା। ଟାଟା ଗ୍ରୁପ ପୁଣି ଥରେ ଏହି ବିମାନ ସେବା କ୍ଷେତ୍ରରେ ସମାନ ପରିବର୍ତ୍ତନ ସୃଷ୍ଟି କରିବାର ସୁଯୋଗ ପାଇଛି। ଆଜି ଯଦି ଜେଆର୍‌ଡି ଟାଟା ଆମ ମଧ୍ୟରେ ଥାଆନ୍ତେ, ତେବେ ତାଙ୍କ ଖୁସିର ନିଶ୍ଚିତ ସୀମା ରହି ନ ଥାନ୍ତା। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Share