କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ରାଗିଲେ ରତନ ଟାଟା, ପୋଷ୍ଟ କରି କହିଲେ ଏମିତି

ନୂଆଦିଲ୍ଲୀ,୭।୧୨: ଏଆଇର ବ୍ୟବହାର ଦିନକୁ ଦିନ ମଣିଷର ସହଚର୍ଯ୍ୟ ବଦଳରେ ଚିନ୍ତାର କାରଣ ପାଲଟିଛି। ସଦ୍ୟ ଉଦାହରଣ ହେଉଛି ନିକଟରେ ହୋଇଥିବା ଡିପଫେକ ମାମଲା। ଯେଉଁଥିରେ ବଡ ବଡ ବ୍ୟକ୍ତିତ୍ୱଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ଏହାର ଶିକାର ହୋଇଛନ୍ତି। ସେହିପରି ଡିପଫେକ ଦ୍ୱାରା ଫେକ ଭିଡିଓ ମାଧ୍ୟମରେ ଠକେଇ ମଧ୍ୟ କରାଯାଉଛ। ସମ୍ପ୍ରତି, ଭେଟେରାନ ବ୍ୟବସାୟୀ ରତନ ଟାଟା ମଧ୍ୟ ଏଥିରେ ଶିକାର ହୋଇଛନ୍ତି।

ନିକଟରେ ରତନ ଟାଟାଙ୍କ ସାକ୍ଷାତକାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ନିବେଶ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି। ନିବେଶ ପାଇଁ ଏହା ସମ୍ପର୍ଣ୍ଣ ବିପଦମୁକ୍ତ ଓ ୧୦୦ ପ୍ରତିଶତ ଗ୍ୟାରେଣ୍ଟି ସହ ଟଙ୍କା ରିଟର୍ନ ମିଳିବ ବୋଲି କୁହାଯାଇଛି।
ଭିଡିଓଟି ଭାଇରାଲ ହେବା ପରେ ଖୋଦ ରତନ ଟାଟା ନିଜେ ଏହି ସାକ୍ଷାତକାରକୁ ନକଲି ବୋଲି କହିଛନ୍ତି। ନିଜ ଇନଷ୍ଟ୍ରାଗ୍ରାମ ହ୍ୟାଣ୍ଡେଲରେ ଭିଡିଓଟି ଶେୟାର କରି ଭିଡିଓଟି ଫେକ୍‌ କହିବା ସହ କଣ୍ଟେଣ୍ଟ କ୍ରିଏଟରଙ୍କୁ ସମାଲୋଚନା କରିଛନ୍ତି। ଏପରି ଫେକ ଭିଡିଓ ଓ କଣ୍ଟେଣ୍ଟ କ୍ରିଏଟରଙ୍କ କଥାରେ ପଡି ନିବେଶ ନ କରିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ, ସୋନା ଅଗ୍ରୱାଲ ନାମକ ଜଣେ ୟୁଜର୍ସ ସୋସିଆଲ ମିଡିଆରେ ରତନ ଟାଟାଙ୍କର ଏକ ନକଲି ଭିଡିଓ ବ୍ୟବହାର କରି ନିବେଶ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ ରତନ ଟାଟାଙ୍କର ଏକ ନକଲି ଭିଡିଓ ବ୍ୟବହୃତ ହୋଇଛ। ଭିଡିଓରେ ଟାଟା, ସୋନା ଅଗ୍ରୱାଲଙ୍କୁ କମ୍ପାନୀର ମ୍ୟାନେଜର ବୋଲି କହୁଛନ୍ତି। ଭିଡିଓରେ ଦେଖାଯାଇଥିଲା, ଭାରତୀୟଙ୍କ ପାଇଁ ରତନ ଟାଟାଙ୍କର ଏକ ସୁପାରିଶ। ଶତପ୍ରତିଶତ ଗ୍ୟାରେଣ୍ଟି ସହିତ ବିପଦମୁକ୍ତ ହୋଇ ଆଜି ହିଁ ନିବେଶ କରନ୍ତୁ। ଏଥିପାଇଁ ଆମକୁ ଯୋଗାଯୋଗ କରନ୍ତୁ। କେବଳ ଏତିକି ନୁହେଁ, ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଉଥିବା ବାର୍ତ୍ତା ମଧ୍ୟ ଭିଡିଓରେ ଦର୍ଶାଯାଇଛି।

Share