Categories: ଖେଳ

୩୦୦ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌; ହେଲିକପ୍ଟର ଶଟ୍‌ ଖେଳି ଦଳକୁ ସେମିଫାଇନାଲରେ ପହଞ୍ଚାଇଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୫।୮: ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର ରସିଦ ଖାନ୍‌ ଇଂଲଣ୍ଡରେ ଖେଳାଯାଉଥିବା ଟି-୨୦ ବ୍ଲାଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇଛନ୍ତି। ସେ ୯ ବଲ୍‌ରେ ଅପରାଜିତ ୨୭ରନ୍‌ କରିଛନ୍ତି। ସସେକ୍ସ ଶାର୍କ ତରଫରୁ ରସିଦ ଏହି ବିସ୍ଫୋରକ ପାଳି ଖେଳିଛନ୍ତି। ଏଥିରେ ତାଙ୍କର ୩ ଚୌକା ଏବଂ ୨ ଛକା ରହିଛି। ତେବେ ଛକା ମଧ୍ୟରେ ସେ ଏକ ହେଲିକାପ୍ଟର ଶର୍ଟ ମାରିଥିଲେ। ମ୍ୟାଚ୍‌ରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୩୦୦ ରହିଥିଲା। ତେବେ ରସିଦଙ୍କ ଯୋଗୁ ତାଙ୍କ ଦଳ ସେମି ଫାଇନାଲରେ ପ୍ରବେଶ କରିଥିବା ଜଣାପଡ଼ିଛି।

ଉକ୍ତ ମ୍ୟାଚ୍‌ର ୧୭ତମ ଓଭରରେ କ୍ରିଜ୍‌କୁ ଆସିଥିଲେ। ସେତେବେଳେ ସସେକ୍ସକୁ ଜିତିବା ଲାଗି ୨୧ ବଲ୍‌ରେ ୪୩ରନ୍‌ର ଆବଶ୍ୟକତା ଥିଲା। ରସିଦ ପଡ଼ିଆକୁ ଆସିବା ମାତ୍ରେ ଛକା ଲଗାଇଥିଲେ। ପରେ ସେ ୧୮ତମ ଓଭରରେ ଏକ ହେଲିକପ୍ଟର ଶର୍ଟ ଖେଳି ଛକା ମାରିଥିଲେ। ୧୯ତମ ଓଭରରେ ସେ ତିନୋଟି ଚୌକା ମାରିଥିଲେ।

କହିରଖୁଛୁ, ଆଫଗାନିସ୍ତାନକୁ ତାଲିବାନ ନିଜ କବ୍ଜାକୁ ନେବା ପରେ ଦେଶରେ ଭୟର ବାତାବରଣ ଦେଖାଦେଇଛି। ରସିଦ ଦେଶରେ ନିଜ ପରିବାରକୁ ନେଇ ଚିନ୍ତାରେ ଅଛନ୍ତି। ଯେକୌଣସି ପ୍ରକାରେ ସେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରୁଛନ୍ତି। ମନ ଅଶାନ୍ତ ଥିବା କାରଣରୁ ତାଙ୍କୁ ଚୁଲବୁଲ୍‌ ସ୍ବଭାବ ମଇଦାନରେ ଦେଖିବାକୁ ମିଳୁନି ବୋଲି ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି।

Share