ରସଗୋଲା ଓଡ଼ିଶାର: ଗାଙ୍ଗୁଲି

ଭୁବନେଶ୍ୱର,୬ା୮(ବ୍ୟୁରୋ): ପଶ୍ଚିମବଙ୍ଗରେ ରସଗୋଲା ବେଶ୍‌ ଲୋକପ୍ରିୟ। ହେଲେ ଏହି ମିଠା ଓଡ଼ିଶାର। ଏହା ଜଗନ୍ନାଥ ସଂସ୍କତି ସହ ଜଡ଼ିତ। ଏଭଳି କହିଛନ୍ତି, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଟେଲିଭିଜନ ଚ୍ୟାନେଲ ‘ଜୀ ବଙ୍ଗଳା’ର ଶୋ ‘ଦାଦାଗିରି’ରେ ଗାଙ୍ଗୁଲି ରସଗୋଲା ଉପରେ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଟିପ୍ପଣୀ ଓଡ଼ିଆଙ୍କ ହୃଦୟ ଜିଣିଥିବାବେଳେ ତାହା ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି।
ସୂଚନାଥାଉକି, ରସଗୋଲା କାହାର ସେ ନେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ଅନେକ ବାକ୍‌ବିବାଦ ରହିଛି। ଏହି ଟଣାଓଟରା ଭିତରେ ୨୦୧୭ ନଭେମ୍ବର ୧୪ରେ ରସଗୋଲାର ଜିଆଇ ଟ୍ୟାଗ୍‌ ପଶ୍ଚିମବଙ୍ଗକୁ ମିଳିଥିଲା। ଓଡ଼ିଶାର ଧାର୍ମିକ ରୀତିନୀତି ସହ ଏହି ସ୍ବାଦିଷ୍ଟ ମିଠାର ସମ୍ପର୍କ ବହୁ ପ୍ରାଚୀନ। ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ଯାତ୍ରା ଶେଷ କରି ନୀଳାଦ୍ରି ବିଜେ କରିବା ସମୟରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗି ହୋଇଥାଏ। ରାଜ୍ୟ ସରକାରଙ୍କ ଆବେଦନକ୍ରମେ ୨୦୧୯ ଜୁଲାଇ ୩୦ରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିଥିଲା।