ବାଲେଶ୍ୱରରେ ରସଗୋଲା ମହୋତ୍ସବ

ବାଲେଶ୍ୱର ଅଫିସ, ୧୬।୬ – ବାଲେଶ୍ୱର ସହର ଏଡ଼ିଏମ୍‌ ଛକସ୍ଥିତ ବ୍ରିଟ୍‌ କଲ୍ୟାଣମଣ୍ଡପ ପରିସରରେ ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ତରଫରୁ ରସଗୋଲା ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ରଜ ଉପଲକ୍ଷେ ରସଗୋଲା ମହୋତ୍ସବ ଏବଂ ପୋଡ଼ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରସଗୋଲାର ପ୍ରାଚୀନତାକୁ ବଜାୟ ରଖିବା ପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରୟାସ କରାଯାଇଥିଲା।
ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦ୍‌ଘାଟନ କରିଥିଲେ। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ରସଗୋଲା ଦୋକାନୀମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ମିଠା ପ୍ରଦର୍ଶନ କରିଥିଲେ। ସେହିପରି ମହିଳାମାନେ ସେମାନଙ୍କ ହାତ ତିଆରି ପିଠା ପ୍ରଦର୍ଶନ କରିବା ସହ ବିକ୍ରି କରିବାର ସୁଯୋଗ ପାଇଥିଲେ। ପ୍ରାୟ ୫୦ଜଣ ମହିଳା ବିଭିନ୍ନ ପ୍ରକାର ସୁସ୍ବାଦୁ ପିଠା ପ୍ରଦର୍ଶନ କରିବା ସହ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପସ୍ଥିତ ଦର୍ଶକମାନେ ମିଠା ଓ ପିଠାର ସୁଆଦକୁ ଉପଭୋଗ କରିବା ସହ ଘରକୁ ମଧ୍ୟ କିଣିକି ନେଇଥିଲେ। ସେହିପରି ଗତ ୩ବର୍ଷ ଧରି କୋଭିଡ୍‌ କଟକଣା ଯୋଗୁ ପାଳନ କରାଯାଇ ନ ଥିବାବେଳେ ଚଳିତବର୍ଷ ରଜ ପାଳନକୁ ନେଇ ଲୋକଙ୍କ ମନରେ ଉତ୍ସାହ ଭରି ରହିଥିଲା।