ଗହୀରମଥାରେ ଅଲିଭ୍‌ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ

ରାଜନଗର, ୫।୪(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳରେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ପ୍ରଥମ ଦିନରେ ପ୍ରାୟ ୮୦ ହଜାର କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି। ଅଲିଭ ରିଡ୍‌ଲେ ମା’ କଇଁଛମାନେ କୂଳଠାରୁ ୧ କିମି ଭିତରେ ଦୀର୍ଘ ୨ମାସ ହେଲା ଭିଡ ଜମାଇ ଥିଲେ ମଧ୍ୟ ପାଗ ଅନୁକୂଳ ହେଉ ନ ଥିବାରୁ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉ ନ ଥିଲେ। ବୁଧବାରଠାରୁ ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୮୦ ହଜାର ମା’ ଅଲିଭ ରିଡ୍‌ଲେ ଗଣ ଅଣ୍ଡାଦାନ କରିଛନ୍ତି।
ବୁଧବାର ସନ୍ଧ୍ୟାରୁ ହଠାତ୍‌ ଦଳ ଦଳ ହୋଇ ମା’ କଇଁଛମାନେ ଗହୀରମଥାର ନାସୀ-୨ ବାଲୁକା ଶଯ୍ୟାକୁ ଉଠି ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଭୋର ଯାଏ ଏହି ପ୍ରକ୍ରିୟା ଜାରି ରହିଥିଲା। ପ୍ରଥମଦିନରେ ଏହି ସଂଖ୍ୟା ଭଲ ଥିବାରୁ ଓ ମା’ କଇଁଛମାନେ କୂଳରେ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଗଣ ଅଣ୍ଡାଦାନ ହେବା ନେଇ ଆଶା ପ୍ରକାଶ ପାଇଛି। ମା’ କଇଁଛମାନେ ବେଳାଭୂମି ବାଲିରେ ପଛପଟ ଗୋଡରେ ୧ ଫୁଟରୁ ଦେଢ ଫୁଟ ଗଭୀର ଗାତ ଖୋଳିଥାନ୍ତି। ଗାତ ଖୋଳିବା ପରେ ମା’ କଇଁଛ ପ୍ରାୟ ୧୦୦ଟି ଉପରେ ଅଣ୍ଡା ଦେଇଥାଏ। ପ୍ରତ୍ୟେକ ଅଣ୍ଡାର ଆକାର ଗୋଟିଏ ପିଙ୍ଗ ପିଙ୍ଗ ବଲ ପରି। ଅଣ୍ଡାର ଖୋଳପା ନମନୀୟ ହୋଇଥିବାରୁ ଅଣ୍ଡା ଗାଳିବା ସମୟରେ ତାହା ଫାଟି ନ ଥାଏ। ଅଣ୍ଡା ଦେଇ ସାରିବା ପରେ ମା’ କଇଁଛ ତା’ର ଗାତକୁ ବାଲି ଘୋଡ଼ାଇ ଲୁଚାଇ ପକାଇ ପୁଣି ସମୁଦ୍ରକୁ ଫେରିଯାଏ। ସୂର୍ଯ୍ୟଙ୍କ ଉତ୍ତାପରେ ଉଷୁମ ହୋଇ ଅଣ୍ଡାଗୁଡ଼ିକରୁ ୪୫ ରୁ ୬୦ ଦିନ ମଧ୍ୟରେ କଇଁଛ ଶାବକ ବାହାରିଥାନ୍ତି। ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଣ୍ଡାଦାନ ସ୍ଥଳକୁ ବାଡ଼ ବୁଜାଯିବା ସହ ବନ କର୍ମଚାରୀମାନେ ଅଣ୍ଡାଦାନ ସ୍ଥଳକୁ ଜଗି ରହିଛନ୍ତି। ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭରିଡ୍‌ଲେଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ, ଗହୀରମଥା ରେଞ୍ଜ ଅଫିସର ପ୍ରଦୋଷ କୁମାର ମହାରଣା ପ୍ରମୁଖ ଅଣ୍ଡାଦାନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଚଳିତବର୍ଷ ଶତାଧିକ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁ ଉଦ୍‌ବେଗ ସୃଷ୍ଟି କରିଥିଲା। କଇଁଛଙ୍କ ମୃତ୍ୟୁ ସାଙ୍ଗକୁ ଠିକ୍‌ ସମୟରେ ପ୍ରତିକୂଳ ପାଗ ଯୋଗୁ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା। କୂଳରେ କଇଁଛ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଗଣଅଣ୍ଡାଦାନ ହେବା ନେଇ ଆଶା ପ୍ରକାଶ ପାଇଛି। ବନ ବିଭାଗ ରିପୋର୍ଟ ମୁତାବକ, ୨୦୧୯-୨୦ରେ ୪ ଲକ୍ଷ ୭ହଜାର ୨୦୪ଟି କଇଁଛ, ୨୦୨୦-୨୧ରେ ୩ ଲକ୍ଷ ୪୯ ହଜାର ୬୪୯, ୨୦୨୧-୨୨ରେ ୫ ଲକ୍ଷ ୧ହଜାର ୧୫୭ଟି କଇଁଛ, ଗତବର୍ଷ ୨୦୨୨-୨୩ରେ ୫ ଲକ୍ଷ ୧୨ ହଜାର ୧୩୫ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।