ମେକ୍ସିକୋ ସିଟି,୧୯ା୯: ଦୀର୍ଘ ୧୮୬ ବର୍ଷ ପରେ ପୁଣିଥରେ ମେକ୍ସିକୋକୁ ଫେରିଛି ତା’ର ଐତିହାସିକ ଗୌରବ। ୧୬ଶ ଶତାବ୍ଦୀର ଦୁର୍ଲଭ ପାଣ୍ଡୁଲିପି ‘ଆଜାକ୍ଟିଟ୍ଲାନ କୋଡେକ୍ସ’ ପ୍ରଥମ ଥର ପାଇଁ ଫ୍ରାନ୍ସରୁ ଋଣ ସୂତ୍ରରେ ମେକ୍ସିକୋକୁ ଅଣାଯାଇଛି। ୧୮୪୦ ମସିହାରୁ ଏହା ଦେଶ ବାହାରେ ଥିବା ବେଳେ ୧୮୯୮ରୁ ଫ୍ରାନ୍ସର ‘ବିବ୍ଲିଓଥେକ୍ ନ୍ୟାଶନାଲ’ରେ ସଂରକ୍ଷିତ ଥିଲା। ୨ ଦେଶ ମଧ୍ୟରେ ୨୦୦ ବର୍ଷର କୂଟନୈତିକ ସମ୍ପର୍କର ସ୍ମୃତି ସ୍ବରୂପ ଏହି ସାଂସ୍କୃତିକ ଆଦାନପ୍ରଦାନ କରାଯାଇଛି। ମେକ୍ସିକୋର ଜାତୀୟ ମାନବବିଜ୍ଞାନ ଏବଂ ଇତିହାସ ପ୍ରତିଷ୍ଠାନର ସୂଚନା ଅନୁଯାୟୀ, ଏହା ଆଜ୍ଟେକ୍ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିତ୍ରାତ୍ମକ ଦସ୍ତାବିଜ। ଏହି କୋଡେକ୍ସରେ ସ୍ଥାନୀୟ ଚିତ୍ରଲିପି ସହ ୟୁରୋପୀୟ ଲେଖାର ସମନ୍ବୟ ରହିଛି। ଏହାକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି, ଯେଉଁଥିରେ ଆଜ୍ଟେକ୍୍ ସଭ୍ୟତାର ପୌରାଣିକ ଜନ୍ମସ୍ଥାନ ‘ଆଜ୍ଟଲାନ’ରୁ ଲୋକଙ୍କ ସ୍ଥାନାନ୍ତର, ଟେନୋଚ୍ଟିଟ୍ଲାନ (ବର୍ତ୍ତମାନର ମେକ୍ସିକୋ ସିଟି)ର ପ୍ରତିଷ୍ଠା, ଶାସକମାନଙ୍କ ବଂଶାବଳୀ ଏବଂ ପରବର୍ତ୍ତୀ ସମୟରେ ସ୍ପାନିଶ୍ ଆକ୍ରମଣକାରୀଙ୍କ ବିଜୟ ସହ ଖ୍ରୀଷ୍ଟଧର୍ମର ପ୍ରଚାରକୁ ଅତି ସୁନ୍ଦର ଭାବେ ଚିତ୍ରିତ କରାଯାଇଛି। ‘ଓଟୋମି’ ସମ୍ପ୍ରଦାୟର ଜଣେ ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଏହି ପାଣ୍ଡୁଲିପି ମେକ୍ସିକୋବାସୀଙ୍କୁ ନିଜ ସଂସ୍କୃତି ଓ ପରିଚୟର ମୂଲ୍ୟବୋଧ ପ୍ରଦାନ କରୁଛି ବୋଲି ମେକ୍ସିକା ସମ୍ପ୍ରଦାୟର ପ୍ରତିନିଧି ମାରିଆ ୟୁଜେନିଆ କହିଛନ୍ତି। ଏହି ଦୁର୍ଲଭ ପାଣ୍ଡୁଲିପିଟି ମେକ୍ସିକୋ ସିଟିର ପ୍ରସିଦ୍ଧ ଜାତୀୟ ମାନବବିଜ୍ଞାନ ସଂଗ୍ରହାଳୟରେ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ରଖାଯିବ। ଏହି ଚୁକ୍ତି ଅନୁସାରେ ମେକ୍ସିକୋ ମଧ୍ୟ ତା’ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଦସ୍ତାବିଜ୍ ‘କୋଡେକ୍ସ ବୋଟୁରିନି’କୁ ଫ୍ରାନ୍ସକୁ ଋଣ ସୂତ୍ରରେ ପ୍ରଦାନ କରିବ।