Categories: ଫୁରସତ

୧୨୪ ବର୍ଷ ପରେ ପାହାଡ଼ ଉପରେ ଫୁଟିଲା ଏହି ଦୁର୍ଲଭ ଫୁଲ

ଦୀର୍ଘ ୧୨୪ ବର୍ଷ ପରେ ପାହାଡ଼ ଉପରେ ଏକ ବିରଳ ତଥା ଦୁର୍ଲଭ ଫୁଲ ଫୁଟିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଫୁଲ ଫୁଟିଛି ହିମାଳୟ ପରିସର ଅଞ୍ଚଳରେ। ବୈଜ୍ଞାନିକମାନେ ଏହି ଫୁଲକୁ ଦେଖି ଏହା ଲିପାରିସ ପିଗ୍‌ମା ବୋଲି କହୁଛନ୍ତି। ସିକିମ୍‌ ଏବଂ ପଶ୍ଚିମବଙ୍ଗରେ ଏହି ଫୁଲ ୧୦୦ ବର୍ଷ ପୂର୍ବରୁ ଦେଖାଦେଇଥିଲା। ଏବେ ପଶ୍ଚିମ ହିମାଳୟ କ୍ଷେତ୍ରର ଉତ୍ତରାଖଣ୍ଡର ଚମୋଲି ଜିଲାରେ ଦେଖିବାକୁ ମିଳିଛି। ଦୁଇମାସ ପୂର୍ବରୁ ଦୁଇ ବନ ଅଧିକାରୀ ଏପରି ଫୁଲ ବି ଦେଖିଥିଲେ।


ଭାରତୀୟ ବଟାନିକାଲ ସର୍ବେକ୍ଷଣ ସଂସ୍ଥାନର ବିଶେଷଜ୍ଞ ଏହି ଫୁଲ ଉପରେ ଏକ ଅଧ୍ୟୟନ କରିଥିଲେ। ଏହାର ରିପୋର୍ଟ ଜୁଲାଇ ୩୦ରେ ଫ୍ରେଞ୍ଚ ସାଇଣ୍ଟିଫିକ୍‌ ଜେନେରାଲ ‘ରିଚଡାଇନା’ରେ ପ୍ରକାଶ ପାଇଥିଲା। ଏହି ଅନୁସାରେ, ବିଶ୍ୱରେ ପ୍ରାୟ ୩୨୦ ପ୍ରଜାତିର ଲିପାରିସ ପିଗ୍‌ମା ଅଛି। ଯେଉଁଥିରେ ପ୍ରାୟ ୪୮ ପ୍ରକାର ଭାରତରେ ରହିଛି। ଏଥିମଧ୍ୟରୁ ପଶ୍ଚିମ ହିମାଳରେ ୧୦ ପ୍ରଜାତିର ଅଛି।

ଚମୋଲିଠାରୁ ପ୍ରାୟ ୩୮୦୦ ମିଟର ଉଚ୍ଚରେ ଥିବା ସପ୍ତକୁଣ୍ଡ ଟ୍ରାକ୍‌ରେ ଏହା ଦେଖିବାକୁ ମିଳିଛି। ପୂର୍ବରୁ ଏହି ଫୁଲ ଉକ୍ତ ଅଞ୍ଚଳରେ ଦେଖିବାକୁ ମିଳି ନ ଥିଲା। ବନ ଅଧିକାରୀ ହରିଶ ନେଗୀ କୁହନ୍ତି, ଉତ୍ତରାଖଣ୍ଡ ବନ ବିଭାଗର ଦୁଇଜଣ ଅଧିକାରୀ ଜୁନ୍‌ରେ ଏହି ବିରଳ ପ୍ରଜାତିର ଫୁଲକୁ ଚିହ୍ନିଥିଲେ। ଜୁନିଅର ରିସର୍ଚ୍ଚ ଫେଲୋ ମନୋଜ ସିଂହଙ୍କ କହିବା ଅନୁସାରେ, ଦୁଇ ମାସ ତଳେ ଫୁଲ ଆବିଷ୍କାର ହେବା ପରଠାରୁ ଏହାକୁ ପୁଣେସ୍ଥିତ ବଟାନିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ପଠାଯାଇଥିଲା। ପରେ ଏହାକୁ ଚିହ୍ନଟ କରାଯାଇଥିଲା।


ଡକ୍ଟର ଜଲାଲଙ୍କ ଅନୁସାରେ, ପୂର୍ବରୁ ଏହି ଫୁଲ ୧୮୭୭ ଏବଂ ୧୮୮୨ରେ ସିକିମ୍‌ରେ ଦେଖିବାକୁ ମିଳିଥିଲା। ପରେ ୧୮୯୬ରେ ଏହା ପଶ୍ଚିମବଙ୍ଗରେ ମଧ୍ୟ ମିଳିଥିଲା। ଦୀର୍ଘ ୧୨୪ ବର୍ଷ ପରେ ଏହି ଫୁଲ ପୁଣି ଫୁଟିଛି।

Share