ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ ‘ତାମ୍ପରା ହ୍ରଦ’ ମହାବିପଦର ଦ୍ୱାରଦେଶରେ ପହଞ୍ଚିଛି। ତାମ୍ପରା ହ୍ରଦ ଏବଂ ବିଶାଳ ବଙ୍ଗୋପସାଗର ମଧ୍ୟଭାଗରେ ପ୍ରାକୃତିକ ପ୍ରାଚୀର ସଦୃଶ ଠିଆ ହୋଇଥିବା ଝାଉଁ ଓ ଭାଲିଆ ଅରଣ୍ୟ ଏବେ ଧୀରେ ଧୀରେ ବୃକ୍ଷହୀନ ହେବାରେ ଲାଗିଛି, ଯାହା ସ୍ଥାନୀୟ ଅଞ୍ଚଳ ପାଇଁ ଏକ ବଡ଼ ବିପଦର ସଙ୍କେତ ଦେଇଛି।

ଛତ୍ରପୁର ସହର ଉପକଣ୍ଠ ମାଟିଖାଲ ଗ୍ରାମରେ ଥିବା ‘ଭାରତୀୟ ବିରଳ ମୃତ୍ତିକା ଲିମିଟେଡ’ ପକ୍ଷରୁ ସାମୁଦ୍ରିକ ବାଲିରୁ ବିରଳ ରାସାୟନିକ ପଦାର୍ଥ ଖନନ ପାଇଁ ବଡ଼ ବଡ଼ ଶିଳ୍ପ ଯନ୍ତ୍ରପାତି ସ୍ଥାପନ କରାଯାଇଛି। ଏହି ଯନ୍ତ୍ରପାତି ସ୍ଥାପନ ଓ ଖନନ ଆଳରେ ଗତ କିଛି ମାସ ହେଲା ଅରଣ୍ୟ ସଫା କରାଯାଇ ହଜାର ହଜାର ଗଛ କାଟି ଦିଆଯାଉଛି। ପୂର୍ବରୁ ଟାଙ୍ଗରା ଅଞ୍ଚଳରେ ଖନନ ସାରିବା ପରେ ଏବେ ଏହି ସବୁଜ ଅରଣ୍ୟ ଉପରେ କମ୍ପାନୀର ନଜର ପଡ଼ିଛି। ଯେଉଁ ପରିମାଣରେ ଗଛ କଟାଯାଉଛି, ସେହି ତୁଳନାରେ ବୃକ୍ଷରୋପଣ କରାଯାଉ ନଥିବାରୁ ସ୍ଥାନୀୟ ବାସିନ୍ଦା କମ୍ପାନୀର କାର୍ଯ୍ୟଶୈଳୀ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ବ୍ୟାପକ ବୃକ୍ଷଛେଦନ ଯୋଗୁ ଅଞ୍ଚଳର ପ୍ରାକୃତିକ ସନ୍ତୁଳନ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। କେବଳ ଲଘୁଚାପ ଜନିତ ବର୍ଷାକୁ ଛାଡ଼ିଦେଲେ ଛତ୍ରପୁର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷାର ପରିମାଣ ଖୁବ୍ କମିଯାଇଛି ଏବଂ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ଅସଂଖ୍ୟ ପଶୁପକ୍ଷୀଙ୍କ ବାସସ୍ଥଳୀ ଉଜୁଡ଼ି ଯାଇଥିବାରୁ ସେମାନେ ଏବେ ଆଉ ଦେଖାଯାଉ ନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଝାଉଁ ବଣ ସେମାନଙ୍କୁ ସାମୁଦ୍ରିକ ବାତ୍ୟା ଓ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଦେଉଥିଲା। ଗଛ ସମ୍ପୂର୍ଣ୍ଣ ନଷ୍ଟ ହେଲେ ସମୁଦ୍ର ସ୍ପଷ୍ଟ ଦେଖାଯିବ ଏବଂ ସମୁଦ୍ର ଜଳ ହ୍ରଦ ଅତିକ୍ରମ କରି ସିଧାସଳଖ ଛତ୍ରପୁର ସହର ମଧ୍ୟକୁ ପଶିଆସିବାର ଆଶଙ୍କା ଉପୁଜିଛି।

ତାମ୍ପରା ହ୍ରଦର ଦୁଇ ପାର୍ଶ୍ୱରେ ଆର୍ଯ୍ୟପଲ୍ଲୀ ଏବଂ ପୋଡ଼ମପେଟା ଭଳି ବଡ଼ ଜନବସତି ରହିଛି। ଆର୍ଯ୍ୟପଲ୍ଲୀ ନିକଟରେ ସମୁଦ୍ର କୂଳ ଲଙ୍ଘିବା ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତାମ୍ପରା ହ୍ରଦ-ଅରଣ୍ୟ ଅଞ୍ଚଳକୁ ସଂଯୋଗ କରି ପଶ୍ଚାତ୍‌ଜଳ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହାସହ ଆଇ.ଆର୍.ଇ.ଏଲ୍.ର ଏହି ବେଆଇନ କାର୍ଯ୍ୟ ଉପରେ ସରକାର ତୁରନ୍ତ ଅଙ୍କୁଶ ନଲଗାଇଲେ, ବଙ୍ଗୋପସାଗର ଖୁବଶୀଘ୍ର ଜନବସତି ଛାରଖାର କରିଦେବ ବୋଲି ବୁଦ୍ଧିଜୀବୀ ଓ ସ୍ଥାନୀୟ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Share