ବିରଳ ସଂଯୋଗ: ୧୧୮ ବର୍ଷ ହେବ ଗୋଟିଏ ତାରିଖରେ ଜନ୍ମନେଇଛନ୍ତି ପରିବାରର ୫ ପିଢ଼ି

ୱାଶିଂଟନ,୧୬।୧୧: ଜନ୍ମଦିନକୁ ନେଇ ଏକ ଅଦ୍ଭୁତ ସଂଯୋଗ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ଏକ ପରିବାରର ପାଞ୍ଚ ପିଢ଼ିର ସଦସ୍ୟଙ୍କ ଜନ୍ମ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ହୋଇଛି। ଗତ ୧୧୮ ବର୍ଷ ଧରି ଏହି ପରିବାରର ପ୍ରତ୍ୟେକ ପିଢ଼ିରେ ସେପ୍ଟେମ୍ବର ୧୪ ତାରିଖରେ ଜଣେ ଲେଖାଏ ସଦସ୍ୟ ଜନ୍ମ ନେଇଛନ୍ତି। ଏହି ବିରଳ ସଂଯୋଗ ପାଇଁ ବେଲ ଓ ହାର୍ଲୋ ପରିବାର ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି।

ଗିନିଜ ୱାଲର୍‌ଡ ରେକର୍ଡସର ସୂଚନା ଅନୁସାରେ, ଗୋଟିଏ ପରିବାରର ପାଞ୍ଚ ପିଢ଼ିର ସଦସ୍ୟଙ୍କ ଜନ୍ମ ଏକା ତାରିଖରେ ହେବାର ଏହା ପ୍ରଥମ ଘଟଣା। ଏହା ପୂର୍ବରୁ ଚାରି ପିଢ଼ିର ସଦସ୍ୟଙ୍କ ଜନ୍ମ ଗୋଟିଏ ଦିନରେ ହେବାର ରେକର୍ଡ ୭ଟି ପରିବାର ମିଳିତ ଭାବେ ରଖିଥିଲେ।

ଏହି ରେକର୍ଡର ଆରମ୍ଭ ୧୯୦୭ ମସିହା ସେପ୍ଟେମ୍ବର ୧୪ ତାରିଖରୁ ହୋଇଥିଲା। ସେହି ଦିନ ୱିଲବର ହାର୍ଲୋଙ୍କ ଜନ୍ମ ହୋଇଥିଲା। ସେ ଆମେରିକାର ଆଇଓୱା ରାଜ୍ୟର ବ୍ରୁକ୍ସ ଅଞ୍ଚଳରେ ପୋଷ୍ଟମାଷ୍ଟର ଥିବା ସହ ହାର୍ଲୋ ଜେନେରାଲ ଷ୍ଟୋରର ମାଲିକ ମଧ୍ୟ ଥିଲେ। ଏହାର ୪୨ ବର୍ଷ ପରେ, ୧୯୪୯ ସେପ୍ଟେମ୍ବର ୧୪ରେ ୱିଲବରଙ୍କ ଝିଅ ଏଡି ହାର୍ଲୋ ଜନ୍ମ ନେଇଥିଲେ। ପରେ ୧୯୭୨ ସେପ୍ଟେମ୍ବର ୧୪ରେ ଏଡିଙ୍କ ପୁଅ ଡୋନାଲ୍ଡ ହାର୍ଲୋ ଜନ୍ମ ହୋଇଥିଲେ। ୧୯୯୭ରେ ସେହି ତାରିଖରେ ଡୋନାଲ୍ଡଙ୍କ ଝିଅ ଏମା ବେଲ ଜନ୍ମ ନେଇଥିଲେ। ଏହି ଧାରା ୨୦୨୫ରେ ମଧ୍ୟ ଜାରି ରହିଥିଲା। ଏମା ଓ ତାଙ୍କ ସ୍ବାମୀ ୱାୟଟଙ୍କ ପୁଅ ଆର୍ଥର ବେଲଙ୍କ ଜନ୍ମ ମଧ୍ୟ ସେପ୍ଟେମ୍ବର ୧୪ ତାରିଖରେ ହୋଇଥିଲା। ଏହା ସହ ପରିବାରର ପାଞ୍ଚ ପିଢ଼ିର ଜନ୍ମଦିନ ଗୋଟିଏ ତାରିଖରେ ପଡ଼ିବାର ବିରଳ ରେକର୍ଡ ସୃଷ୍ଟି ହୋଇଥିଲା।

ଏହି ପରିବାରର ପାଞ୍ଚ ଜଣଙ୍କ ଜନ୍ମଦିନ ସେପ୍ଟେମ୍ବର ୧୪ ହୋଇଥିବା ସହ ସେମାନଙ୍କ ଲିଙ୍ଗରେ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ କ୍ରମ ରହିଛି। ପ୍ରଥମେ ପୁଅ, ପରେ ଝିଅ, ତା’ପରେ ପୁଅ, ପୁଣି ଝିଅ ଏବଂ ଶେଷରେ ପୁଅ ଜନ୍ମ ନେଇଛନ୍ତି। ଏମା କହିଛନ୍ତି ଯେ, ପରିବାରରେ ଚାରି ପିଢ଼ିର ଜନ୍ମଦିନ ଗୋଟିଏ ତାରିଖରେ ପଡ଼ୁଥିବା କଥା ସେମାନେ ଜାଣିଥିଲେ। କିନ୍ତୁ ପଞ୍ଚମ ପିଢ଼ିର ସଦସ୍ୟଙ୍କ ଜନ୍ମ ମଧ୍ୟ ସେହି ଦିନ ହେବା ପର୍ଯ୍ୟନ୍ତ ସେମାନେ ରେକର୍ଡ ପାଇଁ ଆବେଦନ କରି ନ ଥିଲେ। ଶେଷରେ ୨୦୨୫ରେ ଆର୍ଥରଙ୍କ ଜନ୍ମ ସହ ସେମାନଙ୍କ ଇଚ୍ଛା ପୂରଣ ହୋଇଥିଲା। ଏହି ଖୁସିର ଘଟଣା ମଧ୍ୟରେ ପରିବାର ପାଇଁ ଏକ ଦୁଃଖଦ ଦିଗ ମଧ୍ୟ ରହିଛି। ଏଡି ହାର୍ଲୋଙ୍କ ୨୦୨୩ ମସିହାରେ ଦେହାନ୍ତ ହୋଇଥିଲା। ତେଣୁ ସେ ନିଜ ପରିବାରର ପଞ୍ଚମ ପିଢ଼ିର ସଦସ୍ୟ ଆର୍ଥରଙ୍କୁ ଦେଖିବାର ସୁଯୋଗ ପାଇ ନ ଥିଲେ।

ତେବେ ଦୀର୍ଘ ବର୍ଷ ଧରି ସେ ପରିବାରର ଜନ୍ମଦିନ ଉତ୍ସବରେ ସାମିଲ ହେଉଥିଲେ। ପ୍ରତିବର୍ଷ ସେପ୍ଟେମ୍ବର ୧୪ରେ ପରିବାର ସଦସ୍ୟମାନେ ଏକାଠି ହୋଇ ରେଷ୍ଟୁରାଣ୍ଟକୁ ଯାଉଥିଲେ ଏବଂ ମହମବତୀ ଲଗାଯାଇଥିବା କେକ କାଟି ଜନ୍ମଦିନ ପାଳନ କରୁଥିଲେ। ଏବେ ଏହି ପରିବାରର ବିରଳ ସଂଯୋଗ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।

Dharitri – Odisha’s No.1 Odia Daily

 

Share