ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା; ଏଭଳି ବୟାନ ଦେଲା ରାପିଡୋ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧୦: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ତାଙ୍କ ଟିମ୍‌ ସହ ଜଡ଼ିତ ଗୁଳିମାଡ଼ ଘଟଣାକୁ ନେଇ ରାପିଡୋ ପକ୍ଷରୁ ଆଧିକାରିକ ବିବୃତ୍ତି ଜାରି କରାଯାଇଛି । ଗଣମାଧ୍ୟମ ରିପୋର୍ଟରେ ଯେଉଁ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି, ସେ ଅକ୍ଟୋବର ୧୪ ତାରିଖ ପରଠାରୁ ରାପିଡୋ ପ୍ଲାଟଫର୍ମରେ କ୍ୟାପଟେନ୍‌ ଭାବେ ସକ୍ରିୟ ନଥିଲେ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

ଏଥିସହ ଘଟଣା ଦିନ ସମ୍ପୃକ୍ତ ବ୍ୟକ୍ତି ରାପିଡୋର ସେବାକୁ ଜଣେ ଗ୍ରାହକ ଭାବେ ବ୍ୟବହାର କରିଥିଲେ, କ୍ୟାପଟେନ୍‌ ଭାବେ ନୁହେଁ ବୋଲି କମ୍ପାନୀ କହିଛି। ଘଟଣାର ତଦନ୍ତରେ ପୋଲିସ ଓ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ମଧ୍ୟ ରାପିଡୋ ପକ୍ଷରୁ କୁହାଯାଇଛି। ଟାଇଗର ଶ୍ରଫ୍‌ ଏବଂ ତାଙ୍କ ଟିମ୍‌ ସହ ଜଡ଼ିତ ଘଟଣାକୁ ନେଇ କମ୍ପାନୀ ଗଭୀର ଚିନ୍ତିତ ବୋଲି ବିବୃତ୍ତିରେ କହିଛି। ଅଭିନେତା ସୁରକ୍ଷିତ ଥିବା ଜାଣି କମ୍ପାନୀ ଆଶ୍ୱସ୍ତି ପ୍ରକାଶ କରିବା ସହ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛି।

ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି ଏବଂ ତଦନ୍ତକାରୀ ଅଧିକାରୀଙ୍କ ସହ କମ୍ପାନୀ ଯୋଗାଯୋଗରେ ରହିଛି ବୋଲି ରାପିଡୋ କହିଛି। ରାପିଡୋର କହିବା ଅନୁସାରେ, ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ ହେଉଥିବା ବ୍ୟକ୍ତି ଏହାର ପ୍ଲାଟଫର୍ମରେ ପଞ୍ଜୀକୃତ ଥିଲେ। କିନ୍ତୁ ଅକ୍ଟୋବର ୧୪ ତାରିଖଠାରୁ ସେ କ୍ୟାପଟେନ୍‌ ଭାବେ ସକ୍ରିୟ ନଥିଲେ।

କମ୍ପାନୀ ଆହୁରି କହିଛି ଯେ ଭାରତର ଗିଗ୍‌ ଇକୋନୋମିରେ ଜଣେ ବ୍ୟକ୍ତି ଏକାଧିକ ପ୍ଲାଟଫର୍ମରେ ପଞ୍ଜୀକୃତ ହେବା ସାଧାରଣ କଥା। ତେଣୁ କୌଣସି ପ୍ଲାଟଫର୍ମରେ ପଞ୍ଜୀକରଣ ଥିବାର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତି କେବଳ ସେହି କମ୍ପାନୀ ସହ ଜଡ଼ିତ।
କମ୍ପାନୀର ସୂଚନା ଅନୁସାରେ, ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ତଥ୍ୟ ମଗାଯିବା ମାତ୍ରେ ରାପିଡୋ ଆବଶ୍ୟକ ବିବରଣୀ ପ୍ରଦାନ କରିଛି । ତଦନ୍ତ ପ୍ରକ୍ରିୟାକୁ ସମ୍ମାନ ଦେବା ସହ ଆଗକୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ ଜାରି ରଖିବ ବୋଲି କମ୍ପାନୀ କହିଛି। ରାପିଡୋ ନିଜ ବିବୃତ୍ତିରେ ହିଂସା ଏବଂ ଯେକୌଣସି ଅପରାଧିକ କାର୍ଯ୍ୟକଳାପ ପ୍ରତି ‘ଜିରୋ ଟଲରେନ୍ସ’ ନୀତି ରହିଥିବା ପୁନର୍ବାର ଦୋହରାଇଛି।

କମ୍ପାନୀ କହିଛି ଯେ ଏହା କୌଣସି ବେଆଇନ କାର୍ଯ୍ୟକଳାପକୁ ସମର୍ଥନ କରେ ନାହିଁ । ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ।

 

Dharitri – Odisha’s No.1 Odia Daily

Share