ବଳାତ୍କାର ପରେ ମହିଳାଙ୍କୁ ଫିଙ୍ଗି ଦେଲେ

ଲୋଇସିଂହା,୧୩।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁବାସ ଭୁଏ(୩୦)ଙ୍କୁ ଗିରଫ କରିଛି ପୋଲିସ। ସୋମବାର ଅଭିଯୁକ୍ତ ଏବଂ ପୀଡିତାଙ୍କ ଡାକ୍ତରୀ ମାଇନା ଲୋଇସିଂହା ଡାକ୍ତରଖାନାରେ କରାଯାଇଛି। ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଦଫା ୩୭୬(ଡି)ରେ ଏକ ମାମଲା(୩୭୫/୨୧)ରୁଜୁ ହୋଇଛି। ଏହି ଘଟଣାରେ ଏକାଧିକ ବ୍ୟକ୍ତି ସାମିଲ ଥିବା ଆଇଆଇସି ରମାକାନ୍ତ ଜେନା କହିଛନ୍ତି। ଅପରପକ୍ଷେ ପୀଡିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି  । ଡାକ୍ତରଙ୍କ କହିବା ମୁତାବକ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଗୁୁରୁତର ହୋଇପଡିଥିବା ଏତଲାକାରୀ ପୀଡିତାଙ୍କ ପୁତୁରା କହିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ପୋଲିସ ସୂଚନା ମୁତାବକ , ଲୋଇସିଂହା ଥାନା ଅନ୍ତର୍ଗତ ସୁଜିଆ ଗାଁରେ ଥିବା ଏକ ଜମିରେ ଜଣେ ମହିଳା ମୂମୁର୍ଷୁ ଅବସ୍ଥାରେ ପଡିଥିବା କେତେକ ଲୋକେ ଦେଖିଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇଁ ସ୍ଥାନୀୟ ମାହେଶ୍ୱରୀ ସଂଗଠନ ସଭାପତି ଦେବାଶିଷ ବିଶୋଇ ଏବଂ ପତିଜ୍ଞା ସମାଜସେବା ସଂଗଠନ ସଭାନେତ୍ରୀ ବନୀ ପଧାନ ଓ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନା ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମହିଳା ଜଣକ ଗାଁର ଜଣେ ଯୁବକ ତାଙ୍କୁ ବଳାତ୍କାର କରିଥିବା ନେଇ କହିଥିଲେ। ପରେ ସ୍ବେଚ୍ଛାସେବୀମାନେ ବଲାଙ୍ଗୀରରେ ରହୁଥିବା ପୀଡିତାଙ୍କ ସମ୍ପକୀୟଙ୍କୁ ଜଣାଇଥିଲେ। ପରିବାର ଲୋକେ ଲୋଇସିଂହା ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ପୋଲିସ ଟିମ୍‌ ଡାକ୍ତରଖାନାରେ ପହଞ୍ଚି ପୀଡିତାଙ୍କୁ ପଚରାଉଚରା କରିଛି। ଏହି ସମୟରେ ପୀଡିତା ଅଭିଯୁକ୍ତଙ୍କ ନାମ କହିଥିଲେ। ଅବିବାହିତ ଥିବା ସମ୍ପୃକ୍ତ ୫୫ବର୍ଷୀୟା ମହିଳା ଗାଁରେ ଏକୁଟିଆ ରହୁଛନ୍ତି।