ଗର୍ଭବତୀଙ୍କୁ ବଳାତ୍କାର, ଭିଡିଓ ଶୁଟିଂ କଲେ ଆଶାକର୍ମୀ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,: ୧୫।୩(ବି.ପ୍ର./ଡି.ଏନ୍‌.ଏ.): ପାଞ୍ଚ ମାସର ଗର୍ଭବତୀଙ୍କୁ ସମ୍ପର୍କୀୟ ଦେଢ଼ଶୁର ବଳାତ୍କାର କରିଛନ୍ତି। ବଳାତ୍କାର ସମୟରେ ଅଭିଯୁକ୍ତଙ୍କ ସ୍ତ୍ରୀ ତଥା ଆଶାକର୍ମୀ ଏହାର ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୀଡ଼ିତା ନ୍ୟାୟ ପାଇଁ ଥାନାରେ ଏତଲା ଦେଲା ପରେ ପୋଲିସ ଅଭିଯୁକ୍ତ ଯୁବକ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଜିଲା ଖାତିଗୁଡ଼ା ଥାନା ଅଞ୍ଚଳର ଲିଳିଆ ରୁଞ୍ଜିକାର ଓ ତାଙ୍କ ସ୍ତ୍ରୀ(ଆଶାକର୍ମୀ) ପଦ୍ମା ରୁଞ୍ଜିକାର।
ସୂଚନାନୁଯାୟୀ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳର ପୀଡ଼ିତା ୫ମାସର ଗର୍ଭବତୀ ଅଛନ୍ତି। ଗତ ୨୮ ତାରିଖରେ ଗାଁର ଆଶାକର୍ମୀ ପଦ୍ମା ରେଗୁଲାର ଚେକ୍‌ଅପ୍‌ କରିବାକୁ କହି ପୀଡ଼ିତାଙ୍କୁ ନେଇ ନିଜ ପୁଅଙ୍କ ସହ ଏକ ବାଇକ୍‌ରେ ନବରଙ୍ଗପୁର ବାହାରିଥିଲେ। ଅଧା ରାସ୍ତାରେ ପଦ୍ମାଙ୍କ ସ୍ବାମୀ ଲିଳିଆ ରୁଞ୍ଜିକାର ପୁଅକୁ ଘରକୁ ପଠାଇ ନିଜେ ବାଇକ୍‌ରେ ପୀଡ଼ିତା ଓ ତାଙ୍କ ସ୍ତ୍ରୀ ପଦ୍ମାଙ୍କୁ ବସିବାକୁ କହିଥିଲେ। ପୀଡ଼ିତା ଦେଢ଼ଶୁରଙ୍କ ସହ ଗୋଟିଏ ବାଇକ୍‌ରେ ବସିବେ ନାହିଁ ବୋଲି କହିବାରୁ ଅଭିଯୁକ୍ତ ଲିଳିଆ ଧମକଚମକ ଦେଇ ତାଙ୍କୁ ଗାଡ଼ିରେ ବସାଇଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ମେଡିକାଲ ନ ନେଇ ପଦ୍ମାଙ୍କ ମାଉସୀ ଘରକୁ ନେଇଯାଇଥିଲେ। ସେଠାରେ ଏକ କୋଠରିରେ ବନ୍ଦକରି ଲିଳିଆ ପୀଡ଼ିତାଙ୍କୁ ବଳାତ୍କାର କରିଥିଲେ। ପୂରା ବଳାତ୍କାର ଘଟଣାକୁ ପଦ୍ମା ମୋବାଇଲରେ ଭିଡିଓ କରିଥିଲେ। ଏହି କଥା ବାହାରେ ପ୍ରଘଟ କଲେ ଭିଡିଓ ଭାଇରାଲ କରିବା ସହ ଜୀବନରେ ମାରିଦେବାକୁ ସେ ଧମକ ଦେଇଥିଲେ। ଏହାପରେ ପୀଡ଼ିତାଙ୍କୁ ଗାଁରେ ଆଣି ଛାଡ଼ିଥିଲେ। ପୀଡିତା ସେହି ସମୟରେ କାହାକୁ କିଛି କହି ନ ଥିଲେ। କିନ୍ତୁ ମାନସିକ ସ୍ତରରେ ବିଚଳିତ ହୋଇ ଗତ ୧୧ ତାରିଖରେ ଆତ୍ମହତ୍ୟା କରିବାକୁ ବାହାରିଥିଲେ। ପରିବାର ଲୋକେ ଏହାର କାରଣ ପଚାରିବାରୁ ସେ ୨୮ ତାରିଖର ଘଟଣା ସବୁ କହିଥିଲେ। ଗ୍ରାମବାସୀ ଓ ସମ୍ପର୍କୀୟ ସୋମବାର ଖାତିଗୁଡ଼ା ଥାନାରେ ଏତଲା ଦେଇଥିଲେ। ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଛି। କେସ୍‌ ନମ୍ବର ୨୬/୨୩ରେ ପୋଲିସ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟଚାଲାଣ କରିଛି।