ନାବାଳିକାଙ୍କୁ ୪ ଦିନ ଧରି ବଳାତ୍କାର

ପାରାଦୀପ ୪।୯(ସ୍ବ.ପ୍ର.): ପାରାଦୀପରେ ଜଣେ ଆଶାକର୍ମୀଙ୍କୁ ଗଣବଳାତ୍କାର କରାଯିବାର ସପ୍ତାହେ ନ ବିତୁଣୁ ବନ୍ଦର ସହରରେ ପୁଣି ଏକ ଅନୁରୂପ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଲକ୍‌ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗୋଟିଏ ଘରେ ଅଟକ ରଖି ୪ ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଶନିବାର ରାତି ପ୍ରାୟ ୧୧ଟାରେ ପୀଡ଼ିତାଙ୍କୁ ଉଦ୍ଧାର କରଛି। ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ମାମଲା ରୁଜୁ ହୋଇ ନ ଥିଲା।
ନାବାଳିକାଙ୍କ ଘର ପାରାଦୀପ ଆଦର୍ଶ ଥାନା ଅଞ୍ଚଳରେ। ସେ ଦଶମ ଶ୍ରେଣୀର ଛାତ୍ରୀ। ଯେଉଁ ଗାଡ଼ିରେ ସେ ସ୍କୁଲ ଯିବାଆସିବା କରନ୍ତି, ସେହି ଗାଡ଼ିର ଚାଳକ ୪ ଦିନ ତଳେ ତାଙ୍କୁ ବଳପୂର୍ବକ ଉଠାଇ ନେଇ ଲକ୍‌ ଥାନା ଅଞ୍ଚଳର ଏକ ଘରେ ରଖି ବଳାତ୍କାର କରୁଥିଲେ। ନାବାଳିକାଙ୍କୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ ହେଁ ସମ୍ପୃକ୍ତ ଗାଡ଼ି ଚାଳକ କିଛି ଜାଣି ନ ଥିବା ଅଭିନୟ କରି ଏଡ଼ାଇ ଯାଉଥିଲେ। ଶନିବାର ରାତି ୮ ଟାରେ ବିଶେଷ ସୂତ୍ରରୁ ଖବର ପାଇ ପରିବାର ଲୋକେ ପୁଣିଥରେ ଗାଡ଼ି ଚାଳକଙ୍କୁ ପଚରାଉଚରା କରିବାରୁ ସେ ନାବାଳିକାଙ୍କୁ ଅଟକ ରଖିଥିବା ଜଣାପଡ଼ିଥିଲା। ପୋଲିସ ଓ ପରିବାର ଲୋକେ ଗାଡ଼ି ଚାଳକଙ୍କୁ ଧରି ଘଟଣାସ୍ଥଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିବା ଲକ୍‌ ଥାନାଧିକାରୀ ସବ୍ୟସାଚୀ ରାଉତ କହିଛନ୍ତି। ପ୍ରକାଶ ଯେ, ପାରାଦୀପ ଆଦର୍ଶ ଥାନା ଅଞ୍ଚଳରେ ଗତ ୨୬ ତାରିଖରେ ଜଣେ ଆଶାକର୍ମୀଙ୍କୁ ୪ ଯୁବକ କାର୍‌ରେ ଉଠେଇ ନେଇ ନେହେରୁ ବଙ୍ଗଳା ପଥରବନ୍ଧ ପାଖରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।