ଅପହରଣ ପରେ ନାବାଳିକାଙ୍କୁ ବଳାତ୍କାର

କଟକ ଅଫିସ,୧୪ା୧୦:ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ୨୨ଦିନ ଧରି ବଳାତ୍କାର କରାଯାଇଛି। ୨ଜଣ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ରାସ୍ତାରୁ ଅପହରଣ କରିନେଇ ଏକ ଚିକେନ ଫାର୍ମରେ ରଖି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଚାଉଳିଆଗଞ୍ଜ ଥାନା ଅଧୀନ ଗତିରାଉତପାଟଣା ଅଞ୍ଚଳରେ ଏହି ଘଟଣା ଘଟିଛି। ପୋଲିସ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି। ଏ ନେଇ ଚାଇଲ୍ଡଲାଇନ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଏତଲା ରୁଜୁ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ସମ୍ପୃକ୍ତ ନାବାଳିକାଙ୍କ ଘର ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ହୋଇଥିବାବେଳେ ପାରିବାରିକ କଳହକୁ ନେଇ ସେ ଏକ ମାସ ତଳେ କଟକରେ ରହୁଥିବା ବଡ଼ ଭଉଣୀଙ୍କ ଘରକୁ ଚାଲି ଆସିଥିଲେ। ତେବେ ସେଠାରେ ତାଙ୍କୁ ରହିବାକୁ ବଡ଼ ଭଉଣୀ ମନା କରି ଘରକୁ ଯିବା ପାଇଁ କହିଥିଲେ। ସେ ଘରକୁ ଫେରିବା ପାଇଁ ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଯୁବକ ଆସି ନାନା ପ୍ରଲୋଭନ ଦେଖାଇ ତାଙ୍କୁ ବାଦାମବାଡ଼ିକୁ ନେଇଯାଇଥିଲେ। ତେବେ ଘରକୁ ଯିବା ପାଇଁ ନାବାଳିକା ବ୍ୟସ୍ତ ହେବାରୁ ସେ ତାଙ୍କୁ ସାଙ୍ଗରେ ଧରି ଜଗତସିଂହପୁର ବାହାରିଥିଲେ। ମାତ୍ର ଗତିରାଉତପାଟଣା ନିକଟରେ ବଳପୂର୍ବକ ଏକ ଚିକେନ୍‌ ସେଣ୍ଟରକୁ ନେଇଯାଇଥିଲେ। ଚିକେନ ସେଣ୍ଟରଟି ଉକ୍ତ ଯୁବକଙ୍କ ସାଙ୍ଗଙ୍କର ବୋଲି କୁହାଯାଉଛି। ପରେ ଦୁଇଜଣ ସାଙ୍ଗ ନାବାଳିକାଙ୍କୁ ବଳାତ୍କାର କରିବା ସହିତ ଭିଡିଓ ରେକର୍ଡିଂ କରିଥିଲେ। ସୋମବାର ନାବାଳିକାଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଗତିରାଉତପାଟଣା ହନୁମାନ ମନ୍ଦିର ପାଖରେ ବସିଥିଲେ। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାରୁ ଚାଉଳିଆଗଞ୍ଜ ଥାନାଧିକାରୀ ତାପସ ପ୍ରଧାନ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରାଯାଇଥିଲା। ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ମନ୍ଦାକିନୀ ଜେମାଙ୍କ ନିକଟରେ ପୀଡ଼ିତାଙ୍କୁ ଉପସ୍ଥାପନ କରାଯିବା ସହିତ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।