ବନ୍ଧୁଙ୍କ ସ୍ତ୍ରୀଙ୍କୁ ବଳାତ୍କାର

ବାଲିକୁଦା,୧୨ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ରବିବାର ପୁରୀ ଜିଲା ଚନ୍ଦ୍ରଭାଗା ଥାନା ଅନ୍ତର୍ଗତ ରାମଚଣ୍ଡୀଠାରେ ବଳାତ୍କାର କରାଯାଇଛି। ଗାଈ ମୃତ୍ୟୁ ଦୋଷ ନ ଲାଗିବା ପାଇଁ ପୁରୀ ଯାଉଥିବାବେଳେ ଅଧାବାଟରେ ସ୍ବାମୀଙ୍କ ବନ୍ଧୁ ତାଙ୍କୁ ବଳାତ୍କାର କରିଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ସୋମବାର ବାଲିକୁଦା ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘରେ କିଛି ଦିନ ତଳେ ଏକ ଗାଈର ମୃତ୍ୟୁ ଘଟିଥିଲା। ଦୋଷ ଛଡାଇବା ପାଇଁ ପରିବାର ଲୋକଙ୍କୁ ପୁରୀ ଯାଇ କର୍ମ ସମ୍ପାଦନ କରିବାକୁ କୁହାଯାଇଥିଲା। ଏନେଇ ଅଭିଯୁକ୍ତ ବାଇକ୍‌ରେ ସମ୍ପୃକ୍ତା ମହିଳା ଓ ତାଙ୍କ ସ୍ବାମୀଙ୍କୁ ନେଇ ରବିବାର ପୁରୀ ଯାଇଥିଲେ। ମାତ୍ର ଅଧାବାଟରୁ ଫେରି ଆସିଥିଲେ। ଫେରିବାବାଟରେ ରାମଚଣ୍ଡୀଠାରେ ଅଭିଯୁକ୍ତ ଗାଡ଼ି ଅଟକାଇ ମହିଳାଙ୍କ ସ୍ବାମୀଙ୍କୁ ମଦ ପିଇବାକୁ ଦେଇଥିଲେ। ନିଶାରେ ସ୍ବାମୀ ଅଚେତ ହୋଇଯିବା ପରେ ସମ୍ପୃକ୍ତା ମହିଳାଙ୍କୁ ଅଭିଯୁକ୍ତ ବଳାତ୍କାର କରିଥିଲେ। ପରେ ସେମାନେ ଘରକୁ ଫେରି ଆସିଥିଲେ।

ଘରେ ପହଞ୍ଚତ୍ବା ପରେ ଘଟଣା ସମ୍ପର୍କରେ ମହିଳା ଜଣକ ସ୍ବାମୀଙ୍କୁ ଜଣାଇଥିଲେ। ଏନେଇ ଗାଁରେ ଆଲୋଚନା ହୋଇଥିଲା। ମାତ୍ର କୌଣସି ସମାଧାନ ନ ହେବାରୁ ଶେଷରେ ପୀଡିତା ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ବିପିନ କୁମାର ସାହୁ କହିଛନ୍ତି, ଚନ୍ଦ୍ରଭାଗା ଥାନାରେ ଅଭିଯୋଗ କରିବାକୁ ଅଭିଯୋଗକାରୀଙ୍କୁ କୁହାଯାଇଛି। ଏ ସମ୍ପର୍କରେ ସେ ଚନ୍ଦ୍ରଭାଗା ଆଇଆଇସିଙ୍କୁ ଅବଗତ କରାଇଛନ୍ତି।