ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା ଉଦ୍ୟମ ଘଟଣାରେ ମଙ୍ଗଳବାର ତଦନ୍ତକାରୀ ଅଧିକାରୀ କେ. ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତ ବୁଲୁ ପାଇକ(୨୮)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଥାନା ମାମଲା ନଂ.୧୫୩/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୬୪(୧)/୬୨/୧୦୯(୧) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ମହିଳାଙ୍କ ସ୍ବାମୀ ଗଜପତି ଜିଲାରେ କାମ କରୁଥିବା ବେଳେ ୨ ପୁଅ ବାହାରେ ରହନ୍ତି। ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ମହିଳା ଜଣକ ଗତ ଗୁରୁବାର ରାତିରେ ଘର ବାରଣ୍ଡାରେ ଏକୁଟିଆ ଶୋଇଥିଲେ। ରାତି ପ୍ରାୟ ୧ଟାରେ ଅଭିଯୁକ୍ତ ବୁଲୁ ସେଠାରେ ପହଞ୍ଚି ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ସେ ପାଟି କରିବାରୁ ଅଭିଯୁକ୍ତ ମହିଳାଙ୍କ ବେକ ଚିପି ଶ୍ୱାସରୁଦ୍ଧ କରି ମାରିଦେବାକୁ ଉଦ୍ୟମ କରିଥିଲେ। ମହିଳାଙ୍କ ସହ ବୁଲୁଙ୍କ ଧସ୍ତାଧସ୍ତି ହୋଇଥିଲା। ପରେ ମହିଳାଙ୍କ ପାଟି ଶୁଣି ସାହି ପଡୋଶୀ ଦୌଡ଼ି ଆସିବାରୁ ଅନ୍ଧାର ରାତିର ସୁଯୋଗ ନେଇ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମହିଳା ଜଣକ ସମସ୍ତ ଘଟଣା ତାଙ୍କ ସ୍ବାମୀଙ୍କୁ ଫୋନ କରି ଜଣାଇଥିଲେ।ସ୍ବାମୀ ଘରେ ପହଞ୍ଚିବା ପରେ ମହିଳା ଜଣକ ସୋମବାର କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଆଇଆଇସି ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଥାନାରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିଲା। ରାତି ପ୍ରାୟ ୧୦ଟାରେ ତଦନ୍ତକାରୀ ଅଧିକାରୀ ଆଇଆଇସି ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟ ଅଭିଯୁକ୍ତ ଏବଂ ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ମହିଳାଙ୍କ ପିନ୍ଧା ଲୁଗା ଓ ଅଭିଯୁକ୍ତଙ୍କ ପୋଷାକକୁ ପୋଲିସ ଜବତ କରି ପରୀକ୍ଷା ନିମନ୍ତେ ଫରେନ୍ସିକ ଲାବ୍ରୋଟାରିକୁ ପଠାଇଥିବା ଜଣାପଡିଛି।