କଂଗ୍ରେସ ବିଧାୟକଙ୍କ ନାଁରେ FIR, ନାବାଳିକାଙ୍କୁ ବଳାତ୍କାର ପରେ….

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡର ସିମଡେଗା ଜିଲାର କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ୧୪ ବର୍ଷୀୟ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର, ମାଡ଼ ମାରିବା ଏବଂ ଜୀବନରୁ ମାରିଦେବା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏହି ଘଟଣାକୁ ନେଇ ଧୁର୍ୱା ଥାନା ବାହାରେ ବିକ୍ଷୋଭ କରିଛି ଭାଜପା। ବିଧାୟକ ଭୂଷଣ ବାରାଙ୍କୁ ତୁରନ୍ତ ଗିରଫ କରିବାକୁ ଦଳ ଦାବି କରିଛି।

ଶୁକ୍ରବାର ଏହି ବିକ୍ଷୋଭରେ ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ ସଭାପତି ସୀମା ସିଂ ସାମିଲ ହୋଇଥିଲେ। ସେ କହିଛନ୍ତି, ଯଦି କୋର୍ଟରେ ଅଭିଯୋଗ ପ୍ରମାଣିତ ହୁଏ, ତେବେ ବିଧାୟକଙ୍କୁ ମୃତ୍ୟୁଦଣ୍ଡ ମିଳିବା ଉଚିତ। ଏଥିସହ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ଓ କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, ଏହି ଦଳଗୁଡ଼ିକ ଅନ୍ୟ ରାଜ୍ୟରେ ମହିଳାଙ୍କ ଅଧିକାର ଓ ସୁରକ୍ଷା ପ୍ରସଙ୍ଗରେ ସ୍ୱର ଉଠାଉଥିବା ବେଳେ ଝାଡ଼ଖଣ୍ଡରେ ଏଭଳି ଘଟଣା ନେଇ ନୀରବ ରହିଛନ୍ତି।

ଅନ୍ୟପକ୍ଷରେ, ନାବାଳିକାଙ୍କ ଲିଖିତ ଅଭିଯୋଗ ଆଧାରରେ ଧୁର୍ୱା ଥାନାରେ ମାମଲା ରୁଜୁ ହୋଇଥିବା ହଟିଆର ଡିଏସ୍‌ପି ନୀରଜ କୁମାର ସ୍ପଷ୍ଟ କରିଛନ୍ତି । ଅଭିଯୋଗ ଅନୁସାରେ, ବିଧାୟକଙ୍କ ସରକାରୀ ବାସଭବନରେ ଏହି ଘଟଣା ଘଟିଥିବା କୁହାଯାଉଛି। ପୋଲିସ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରିଛି। ତାଙ୍କ ବୟାନ, ମେଡିକାଲ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ତଦନ୍ତ ଆଗକୁ ବଢ଼ିବ ବୋଲି ଡିଏସ୍‌ପି କହିଛନ୍ତି। ତେବେ ବିଧାୟକ ଭୂଷଣ ବାରା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି । କିଛି ଦଲାଲ ଧରଣର ଲୋକ ଓ ରାଜନୈତିକ ବିରୋଧୀ ତାଙ୍କ ବିରୋଧରେ ମିଥ୍ୟା କାହାଣୀ ତିଆରି କରିଥିବା ସେ ଅଭିଯୋଗ କରିଛନ୍ତି ।

ନାବାଳିକା ତାଙ୍କ ସରକାରୀ ବିଧାୟକ ବାସଭବନରେ କାମ କରୁଥିବା କଥାକୁ ବାରା ସ୍ୱୀକାର କରିଛନ୍ତି । ତେବେ ସେ ପ୍ରାୟ ଚାରି ମାସ ପୂର୍ବରୁ କାମ ଛାଡ଼ିଥିବା  ସେ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Share