Categories: ଜାତୀୟ

ଜେଲ୍‌ରେ ମନ୍ତ୍ରୀଙ୍କ ମସାଜ୍‌ କରୁଥିଲେ ବଳାତ୍କାର ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୧୧: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଜୈନଙ୍କ ମସାଜ୍‌ ଭିଡିଓ ଲିକ ମାମଲାରେ ଏକ ନୂଆ ଖୁଲାସା ହୋଇଛି। ନିକଟରେ ତାଙ୍କ ଜେଲ ବ୍ୟାରେକରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ଜଣେ ବ୍ୟକ୍ତି ତାଙ୍କୁ ମସାଜ କରୁଥିବାର ନଜର ଆସିଥିଲେ। ବର୍ତ୍ତମାନ ତିହାର ଜେଲର ସୂତ୍ରରୁ ଏହା ଜାଣିବାକୁ ମିଳିଛି ଯେ, ମସାଜ କରୁଥିବା ବ୍ୟକ୍ତି ଜଣକ ଫିଜିଓଥେରାପିଷ୍ଟ ନୁହଁନ୍ତି, ବରଂ ସେ ଜଣେ ବଳାତ୍କାର ମାମଲାରେ ଦଣ୍ଡ ଭୋଗୁଥିବା ଜଣେ କଏଦୀ। ତାଙ୍କ ନାମ ରିଙ୍କୁ। ରିଙ୍କୁଙ୍କୁ ପୋକ୍ସୋ ଧାରା ୬ ଏବଂ ଆଇପିସିର ଧାରା ୩୭୬, ୫୦୬ ଏବଂ ୫୦୯ ଅନୁଯାୟୀ ଚାର୍ଜ କରାଯାଇଛି। ଭିଡିଓ ଲିକ ମାମଲାରେ ଏହି ନୂଆ ଖୁଲାସା ହେବା ମାତ୍ରେ ଭାଜପା ନେତାମାନେ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି। ଦିଲ୍ଲୀର ଏକ କୋର୍ଟ ଭିଡିଓ ଲିକ୍‌ ମାମଲାର ଆଜି ଶୁଣାଣି କରିବେ।
ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ପ୍ରତିଦିନ ସେ ଘର ଖାଦ୍ୟ ଖାଉଛନ୍ତି। ପ୍ରତିଦିନ ତାଙ୍କ ସ୍ତ୍ରୀ ତାଙ୍କୁ ଭେଟିବାକୁ ଆସୁଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଭଳି ଅଭିଯୋଗ କରିଛି। ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ବିଳାସପୂର୍ଣ୍ଣତାର ସିସିଟିଭି ଫୁଟେଜକୁ କୋର୍ଟରେ ଇଡି ହସ୍ତାନ୍ତର କରିଛି। ଅଭିଯୋଗରେ ଇଡି କହିଛି ଯେ, ତିହାର ଜେଲରେ ଥାଇ ମଧ୍ୟ ସତ୍ୟେନ୍ଦ୍ର ଜୈନଙ୍କ ହେଡ ମସାଜ, ଫୁଟ ମସାଜ ଏବଂ ବ୍ୟାକ ମସାଜ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି।

Share