Categories: ଜାତୀୟ

୪ ଦିନ ପୋଲିସ ହାଜତକୁ ଗଲେ ବଳାତ୍କାର ଅଭିଯୁକ୍ତ ମହନ୍ତ ଶିବମୂର୍ତ୍ତି

ବେଙ୍ଗାଲୁରୁ,୩ା୯: କର୍ନାଟକର ଶକ୍ତିଶାଳୀ ଲିଙ୍ଗାୟତ ସମ୍ପ୍ରଦାୟର ଧର୍ମୀୟ ନେତା ତଥା ମୁରୁଘା ମଠର ମହନ୍ତ ଶିବମୂର୍ତ୍ତି ମୁରୁଘା ଶରାନାରୁଙ୍କୁ ନାବାଳିକା ବଳାତ୍କାର ଅଭିଯୋଗରେ ଗୁରୁବାର ଗିରଫ କରାଯାଇଥିଲା। ସ୍ଥାନୀୟ ଅଦାଲତ ତାଙ୍କୁ ୪ ଦିନ ପାଇଁ ପୋଲିସ ହାଜତକୁ ପଠାଇଦେଇଛନ୍ତି। ଗିରଫ ହେବା ପରେ ସ୍ବାସ୍ଥ୍ୟଗତ କାରଣକୁ ନେଇ ଶୁକ୍ରବାର ସକାଳେ ତାଙ୍କୁ ଚିତ୍ରଦୁର୍ଗସ୍ଥିତ ହସ୍ପିଟାଲର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ହୁଇଲ୍‌ ଚେୟାରରେ କୋର୍ଟରେ ହାଜର ପାଇଁ ନିଆଯାଇଥିଲା। ଜେରା ପାଇଁ ମହନ୍ତଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ରଶ୍ମିଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି। ମଠ ପରିଚାଳିତ ଏକ ଆବାସିକ ସ୍କୁଲ୍‌ର ୨ ଜଣ ନାବାଳିକା ଛାତ୍ରୀ ୬ ଦିନ ପୂର୍ବରୁ ୬୪ ବର୍ଷୀୟ ମହନ୍ତଙ୍କ ବିରୋଧରେ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ବିରୋଧରେ ପୋକ୍ସୋ ଆଇନ ଏବଂ ଅନୁସୂଚିତ ଜାତି ଜନଜାତି ସୁରକ୍ଷା ଆଇନରେ ମାମଲା ରୁଜୁ ହୋଇଛି।

Share