ସତ ହେବ କି ଶାହରୁଖଙ୍କ ଭବିଷ୍ୟବାଣୀ

ବଲିଉଡ ଅଭିନେତା ରଣବୀର ସିଂ ଜବରଦସ୍ତ ଅଭିନୟ ବ୍ୟତୀତ ଚମତ୍କାର ଫ୍ୟାଶନ ପାଇଁ ଜଣାଶୁଣା। ଅନେକ ଥର ତାଙ୍କୁ ଭିନ୍ନ ଫ୍ୟାଶନ ପାଇଁ ଟ୍ରୋଲ ମଧ୍ୟ କରାଯାଏ। କିନ୍ତୁ ଏଥିରେ ତାଙ୍କର କୌଣସି ଫରକ ପଡେ ନାହିଁ। ନିକଟରେ ରଣବୀର ଏକ ପତ୍ରିକା ପାଇଁ ନ୍ୟୁଡ୍‌ ଫଟୋଶୁଟ କରି ବିବାଦ ଘେରକୁ ଆସିଛନ୍ତି। ତାଙ୍କ ନାଁରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ସମୟରେ ଶାହାରୁଖଙ୍କ ଏକ ପୁରୁଣା ସାକ୍ଷାତକାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଶାହରୁଖ କହିଥିଲେ, ଦିନେ ରଣବୀରଙ୍କୁ ପୋଷାକ ନ ପିନ୍ଧିବା କାରଣରୁ ଗିରଫ କରାଯିବ।
୨୦୧୭ରେ କରଣ ଜୋହରଙ୍କ ଶୋ’ କଫି ଓ୍ବିଥ୍‌ କରଣରେ ଶାହାରୁଖଙ୍କୁ ପଚରାଯାଇଥିଲା, ଯଦି କେବେ ରଣବୀରଙ୍କୁ ଗିରଫ କରାଯାଇଛି ବୋଲି ଶୁଣିବେ, ତା’ହେଲେ ପ୍ରଥମେ ତାଙ୍କ ମନକୁ କେଉଁ କାରଣ ପାଇଁ ଏହା ଘଟିଥିବ ବୋଲି ଆସିବ। ଏହା ଉପରେ ଶାହାରୁଖ ଥଟ୍ଟା କରି କହିଥିଲେ, ପୋଷାକ ପିନ୍ଧିବା ଏବଂ ପୋଷାକ ନ ପିନ୍ଧିବାକୁ ନେଇ ତାଙ୍କୁ ଗିରଫ କରାଯିବ।
ଶାହରୁଖଙ୍କ ସେଦିନ ଭବିଷ୍ୟବାଣୀ ଏବେ ସତ ହେବ କି ବୋଲି ଯୁଜର୍ସ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଛନ୍ତି। ରଣବୀର ଇଣ୍ଟରନ୍ୟାସନାଲ ମାଗାଜିନ ‘ପେପର୍‌’ର କଭର ପେଜ ପାଇଁ ଏକ ନ୍ୟୁଡ୍‌ ଫଟୋଶୁଟ କରାଇଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମହିଳାଙ୍କ ଭାବନାକୁ ଆଘାତ ଦେବା ଅଭିଯୋଗରେ ରଣବୀରଙ୍କ ବିରୋଧରେ ଚେମ୍ବୁର ପୋଲିସ ଷ୍ଟେଶନରେ ଆଇପିସି ଆକ୍ଟ ୨୯୨, ୨୯୩ ଓ ୫୦୯ରେ ଏଫଆଇଆର୍‌ ରୁଜୁ କରାଯାଇଛି।

Share