ଯୋଦ୍ଧାଙ୍କ ପାଇଁ ଆଗକୁ ଆସିଲା ବଲିଉଡ: ରଣବୀର-ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍‌ ବ୍ୟବହାର କରିବ ମୁମ୍ବାଇ ପୋଲିସ

ବମ୍ବେ: କରୋନାର ଦ୍ୱିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ମହାରାଷ୍ଟ୍ରରେ। ସଂକ୍ରମଣକୁ ରୋକିବା ଲାଗି କର୍ଫ୍ୟୁ ଲଗାଯାଇଛି। ଏସବୁ ମଧ୍ୟରେ ପୋଲିସ କର୍ମଚାରୀମାନେ ଆଗଧାଡ଼ିରେ ରହି ଲୋକଙ୍କ ଉପରେ ନଜର ରଖିଛନ୍ତି। ହେଲେ ଏହି ଯୋଦ୍ଧାଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି କିଛି ବଲିଉଡ୍‌ କଳାକାର। ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ନିଜର ଭ୍ୟାନିଟି ଭ୍ୟାନ୍‌କୁ ମୁମ୍ବାଇ ପୋଲିସକୁ ବ୍ୟବହାର କରିବାକୁ ଦେଇଛନ୍ତି। ଏପରିକି ଆଲିଆଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’ର ସେଟ୍‌କୁ ପୋଲିସର ବ୍ୟବହାର ପାଇଁ ଦିଆଯାଇଛି।

ଗତ ବର୍ଷ କରୋନା ସଂକ୍ରମଣ ସମୟରେ ମହିଳା ପୋଲିସ ଅଫିସରମାନଙ୍କୁ ଭ୍ୟାନିଟି ଭ୍ୟାନ୍‌ ଦିଆଯାଇଥିଲା। ଏହାର ବ୍ୟବହାର ସେମାନେ ଆରାମ କରିବା, ଶୌଚ ଏବଂ ଘରକୁ ଯିବା ପୂର୍ବରୁ ପୋଷାକ ପାଲଟିବା ପାଇଁ ବ୍ୟବହାର କରୁଥିଲେ। ପୁଣି ଥରେ ଏବେ ସେଭଳି ଆବଶ୍ୟକତା ପଡ଼ିଛି। ମୁମ୍ବାଇ ପୋଲିସକୁ ୧୦ ଭ୍ୟାନିଟି ଭ୍ୟାନ୍‌ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ପୁଣିଥରେ ରାଜ୍ୟରେ ସ୍ବାଭାବିକ ସ୍ଥିତି ଫେରିଲେ ଗାଡ଼ିଗୁଡ଼ିକୁ ସାନିଟାଇଜ୍‌ କରାଯିବ। ପୁଣିଥରେ କଳାକାରମାନେ ଏହାକୁ ବ୍ୟବହାର କରିପାରିବେ।

Share