Categories: ଖେଳ

ରଣଜୀ ଟ୍ରଫି ବିବାଦ, ୧.୭୪ କୋଟି ଟଙ୍କାର ଖାଦ୍ୟ ଖାଇଛନ୍ତି ଉତ୍ତରାଖଣ୍ଡ କ୍ରିକେଟର, କଦଳୀ କିଣାରେ ୩୫ ଲକ୍ଷ ଖର୍ଚ୍ଚ…

ଡେରାଡୁନ୍‌, ୧୧।୬ : ଭାରତୀୟ କ୍ରିକେଟ ପ୍ରାୟତଃ ବିବାଦ ମଧ୍ୟରେ ଘେରି ରହିଥାଏ। ପ୍ରତ୍ୟେକ ସିଜିନରେ, ପଡ଼ିଆରୁ ବାହାର ପର୍ଯ୍ୟନ୍ତ କିଛି ନ ାକିଛି ବିବାଦ ସାମ୍ନାକୁ ଆସିଥାଏ। ରଣଜୀ ଟ୍ରଫି ୨୦୨୧-୨୨ ସିଜିନ ମଧ୍ୟ ଏଥିରୁ ବାଦ ପଡ଼ିନି। ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ମୁମ୍ବାଇ ଏବଂ ଉତ୍ତରାଖଣ୍ଡର ଦଳ ମୁହାଁମୁହିଁ ହୋଇଥିଲେ। ୪୧ ଥର ଚାମ୍ପିୟନ ମୁମ୍ବାଇ ଏହି ମ୍ୟାଚ ରେକର୍ଡ ୭୨୫ ରନରେ ଜିତିଥିଲା। ପ୍ରଥମ ଶ୍ରେଣୀ କ୍ରିକେଟର ୨୫୦ ବର୍ଷର ଇତିହାସରେ ରନ ଦୃଷ୍ଟିରୁ ଏହା ଏକ ଦଳ ଦ୍ୱାରା ସବୁଠାରୁ ବଡ ବିଜୟ। ମ୍ୟାଚ ହାରିଯିବା ପରେ ଉତ୍ତରାଖଣ୍ଡ ଦଳ ଏକ ବିବାଦରେ ପଡ଼ିଯାଇଛି। ଏହି ବିବାଦ ଏତେ ବଢ଼ିଗଲା ଯେ ସେଠାରେ ଥିବା କ୍ରିକେଟ ଆସୋସିଏଶନକୁ ମଧ୍ୟ ଏକ ସ୍ପଷ୍ଟୀକରଣ ଦେବାକୁ ପଡିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡ ଦଳ କାଗଜରେ ଖର୍ଚ୍ଚ ହୋଇଥିବା କୋଟିଏ ଟଙ୍କା ଦେଖାଏ, କିନ୍ତୁ ଖେଳାଳିଙ୍କୁ ଦୈନିକ ଭତ୍ତା ଭାବରେ ମାତ୍ର ୧୦୦ ଟଙ୍କା ଦେଇଥାଏ। ଏହି ଖବର ସାମ୍ନାକୁ ଆସିବା ପରେ ଉତ୍ତରାଖଣ୍ଡ କ୍ରିକେଟ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛି। ଆସୋସିଏଶନ ଖେଳାଳିଙ୍କ ଖାଦ୍ୟ ଏବଂ ପାନୀୟ ଖର୍ଚ୍ଚ ବିଷୟରେ ପ୍ରକାଶ କରିଛି। ଏହା ପ୍ରକାଶିତ ହେବାପରେ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଆସୋସିଏଶନ ଅନୁଯାୟୀ ଖାଦ୍ୟ ଏବଂ ପାନୀୟ ପାଇଁ ଉତ୍ତରାଖଣ୍ଡ ଦଳ ପାଇଁ ୧.୭୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଖେଳାଳିମାନଙ୍କୁ ଦୈନିକ ଭତ୍ତା ଭାବରେ ୪୯ ଲକ୍ଷ ୫୮ ହଜାର ଟଙ୍କା ଦିଆଯାଇଛି। ତେବେ କଦଳୀ ଏବଂ ପାଣି ବୋତଲ କିଣାର ଖର୍ଚ୍ଚ ସମସ୍ତଙ୍କୁ ଚକିତ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସୋସିଏଶନ କଦଳୀ କିଣିବା ପାଇଁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଏଥି ସହିତ ପାଣି ବୋତଲ କିଣିବାକୁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଖର୍ଚ୍ଚ ସହିତ ପ୍ରଶାସନିକ ଅନିୟମିତତା ସହ ଜଡିତ ରିପୋର୍ଟ ମଧ୍ୟ ରହିଛି। ଆସୋସିଏଶନ ଏକ ପ୍ରକାଶନ ଜାରି କରି ସବୁକିଛି ସ୍ପଷ୍ଟ କରିଛି।

ରିପୋର୍ଟ ଅନୁସାରେ ୨୦୨୧-୨୨ ସିଜିନ୍‌ରେ ଖେଳାଳିଙ୍କୁ ୧୨୫୦ ଟଙ୍କା ଏବଂ ସ୍ପୋର୍ଟ ଷ୍ଟାଫ୍ଙଙ୍କୁ ଦୈନିକ ୧୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଛି। ଖେଳାଳିମାନେ ଖାଇବାକୁ ବାହାରକୁ ଯାଇ ନଥିଲେ। ହୋଟେଲରେ ସେମାନଙ୍କ ପାଇଁ ଖାଦ୍ୟ ଅର୍ଡର କରାଯାଇଥିଲା। ଖେଳାଳିଙ୍କ ଦୈନିକ ଭତ୍ତାରୁ ଏହା ପ୍ରଦାନ କରାଯାଇଥିବା ନେଇ ଆସୋସିଏଶନ ସଫେଇ ଦେଇଛି।

Share