Categories: ଜାତୀୟ

ଗିରଫ ପରେ ସୀମା କହିଲେ, ମୋ ନାଁରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା

ରାଞ୍ଚି,୩୧।୮: ଝାଡଖଣ୍ଡର ପୂର୍ବତନ ଆଇଏସ ଅଫିସରଙ୍କ ସ୍ତ୍ରୀ ତଥା ଭାଜପାରୁ ନିଲମ୍ବିତ ହୋଇଥିବା ସୀମା ପାତ୍ରଙ୍କୁ ବୁଧବାର ରାଞ୍ଚି ପୋଲିସ ଗିରଫ କରିଛି। ୮ ବର୍ଷ ଧରି ଘରେ କାମ କରୁଥିବା ସୁନୀତା ନାମ୍ନୀ ଜଣେ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ପରେ ସୀମା କହିଛନ୍ତି, ମୋତେ ଫଶାଯିବାକୁ ଚେଷ୍ଟା କରାଯାଇଛି। ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ।
ସୀମାଙ୍କୁ ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫଦାରିରୁ ବର୍ତ୍ତିବା ପାଇଁ ସୀମା ଫେରାର ହୋଇଯାଇଥିଲେ। ପୋଲିସ ସୀମାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରଖିଥିଲା। ପରେ ତାଙ୍କୁ ଗିରଫ କବାରେ ପୋଲିସ ସକ୍ଷମ ହୋଇଥିଲା।
୨୯ ବର୍ଷୀୟ ସୁନୀତାଙ୍କ ଘର ଝାରଖଣ୍ଡର ଗୁମଲାରେ। ୮ ବର୍ଷ ଧରି ସେ ସୀମାଙ୍କ ଘରେ କାମ କରିଆସୁଥିଲେ। କାମ ମଧ୍ୟରେ ସୀମା ପାତ୍ର ତାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଚାଲିଥିଲେ। ହେଲେ ଭୟରେ ସେ କିଛି ବି କହୁ ନ ଥିଲେ। ଅସହ୍ୟ ଯନ୍ତ୍ରଣା ହେବରୁ ସେ ଶେଷରେ ମୁହଁ ଖୋଲିଥିଲେ। ସୁନୀତାଙ୍କୁ ଗରମ ତାୱା ଓ ରଡ୍‌ରେ ସୀମା ପିଟୁଥିଲେ। ତାଙ୍କର ଏକାଧିକ ଦାନ୍ତ ମଧ୍ୟ ମାଡ ଯୋଗୁ ଝଡି ଯାଇଛି। ଏତେ କଷ୍ଟ ହେଉଥିଲା ଯେ ସେ ସହି ନ ପାରି ଚଟାଣରେ ପରିସ୍ରା କରି ଦେଇଥିଲେ। ଭୁଲ ପାଇଁ ସୀମା ତାଙ୍କୁ ଏପରି ଅକଥନୀୟ ନିର୍ଯାତନା ଦେଉଥିଲେ। ସୀମା ପାତ୍ରଙ୍କ ପୁଅ ଆୟୁଷ୍ମାନ ସୁନୀତାଙ୍କୁ ସହଯୋଗ କରିଥିଲେ। ତାଙ୍କ ପାଇଁ ଆଜି ମୁଁ ବଞ୍ଚିଛି। ସୁନୀତାଙ୍କ ନିର୍ଯାତନା ସମ୍ପର୍କରେ ଆୟୁଷ୍ମାନ ତାଙ୍କର ଜଣେ ବନ୍ଧୁଙ୍କୁ କହିଥିଲେ। ବନ୍ଧୁ ଜଣଙ୍କ ପୋଲିସ୍‌ରେଅଭିଯୋଗ କରିବାରୁ ସୁନୀତାଙ୍କୁ ଉଦ୍ଧାର କରାଯାଇଥିଲା। ଏବେ ସେ ରାଞ୍ଚିର ରିମ୍ସରେ ଚିକିତ୍ସିତ ହେଉଛନ୍ତି।
ସୀମା ପାତ୍ର ହେଉଛନ୍ତି ଭାଜପା ମହିଳା ମୋର୍ଚ୍ଚାର ଜାତୀୟ କମିଟିର ସଦସ୍ୟ। ତାଙ୍କ ସ୍ବାମୀ ମହେଶ୍ୱର ପାତ୍ର ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସର। ସୀମାଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ ଦଳକୁ ନିଲମ୍ବିତ କରିଛନ୍ତି।

Share