ଜଲ୍‌ଓ୍ବା ଦେଖାଇବେ ରଣବୀର

ମୁମ୍ବାଇ: ଆସନ୍ତା ୨ ବର୍ଷ ମଧ୍ୟରେ ବଲିଉଡ୍‌ ଆକ୍ସନ ହିରୋ ରଣବୀର ସିଂଙ୍କୁ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍‌ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ତେବେ ଏଥି ମଧ୍ୟରେ ସେ ଆଦିତ୍ୟ ଧରଙ୍କ ସହ ହାତ ମିଳାଇ ଆଉଏକ ଆକ୍ସନ୍‌ ଫିଲ୍ମ ସାଇନ୍‌ କରିଛନ୍ତି। ‘ଉରି: ଦି ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆଦିତ୍ୟ ଧର ଆଗାମୀ ଦିନରେ ଗୋଟିଏ ବଡ଼ ବଜେଟର ଆକ୍ସନ୍‌ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଆକ୍ସନ୍‌ ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ସେ ରଣବୀର ସିଂଙ୍କୁ ପସନ୍ଦ କରିଛନ୍ତି। ଏନେଇ ଗତ ୩ ସପ୍ତାହ ମଧ୍ୟରେ ଉଭୟ ରଣବୀର ଓ ଆଦିତ୍ୟଙ୍କ ଅନେକ ଥର ସାକ୍ଷାତ ହୋଇଥିବା ସୂଚନା ମିଳିଛି। ଆଦିତ୍ୟଙ୍କଠାରୁ ଫିଲ୍ମର ସ୍କ୍ରିପ୍ଟ ଶୁଣି ଅଭିନୟ କରିବାକୁ ରଣବୀର ତୁରନ୍ତ ରାଜି ହୋଇଯାଇଥିବା ବିଭିନ୍ନ ସୂତ୍ରରୁ ଜଣା ପଡ଼ିଛି। ତେବେ ଚଳିତ ବର୍ଷ ‘ଶକ୍ତିମାନ’ ଓ ‘ଡନ୍‌ ୩’ର ସୁଟିଂରେ ରଣବୀର ସାମିଲ ହେବା ନେଇ ତାଙ୍କ ଟିମ୍‌ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। କିନ୍ତୁ ଏବେ ରଣବୀର ଆଦିତ୍ୟଙ୍କ ବିଗ୍‌ ବଜେଟ ଆକ୍ସନ ମୁଭିକୁ ଅଧିକ ପ୍ରାଧାନ୍ୟ ଦେବାକୁ ସ୍ଥିର କରିଛନ୍ତି, ଯାହାର ଶୁଟିଂ ଚଳିତ ବର୍ଷ ଏପ୍ରିଲ-ମେ ମାସରୁ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି। ତେବେ ଏନେଇ ରଣବୀରଙ୍କ ଟିମ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଚଳିତ ବର୍ଷ ଏପ୍ରିଲ-ମେ ମାସରେ ରଣବୀର ଆଦିତ୍ୟ ଧରଙ୍କ ନିର୍ମିତ ଆକ୍ସନ୍‌ ଫିଲ୍ମର ଶୁଟିଂ କରିବା ନେଇ ସୂଚନା ମିଳିଛି। ପରେ ସେ ଅଗଷ୍ଟ-ସେପ୍ଟେମ୍ବର ମାସରେ ‘ଡନ୍‌ ୩’ ଫିଲ୍ମର ସୁଟିଂ ଆରମ୍ଭ କରିବେ। ସେହିପରି ଆସନ୍ତାବର୍ଷ ମେ-ଜୁନରେ ରଣବୀର ‘ଶକ୍ତିମାନ’ର ଶୁଟିଂ କରିବେ। ଏସବୁ ମଧ୍ୟରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସିଘଂମ୍‌ ଏଗେନ’ର ଅବଶିଷ୍ଟ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବେ ବୋଲି ତାଙ୍କ ଟିମ୍‌ ପକ୍ଷରୁ ସୂଚନା ମିଳିଛି। ଆଦିତ୍ୟଙ୍କ ଏହି ବିଗ୍‌ ବଜେଟ ଆକ୍ସନ୍‌ ଫିଲ୍ମର ପେପର ୱାର୍କ ଶେଷ ହେବା ପରେ ଖୁବ୍‌ଶୀଘ୍ର ଏହାର ନାମକାରଣ ରଖାଯାଇ ଫିଲ୍ମକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ସୂଚନାଯୋଗ୍ୟ ଗତବର୍ଷ ରଣବୀରଙ୍କ ପାଇଁ ବେଶ୍‌ ଭଲ ରହିଥିଲା। ରଣବୀରଙ୍କ ଅଭିନୀତ ‘ରକି ଔର ରାନୀ କି ପ୍ରେମ କାହାନି’ ହିଟ୍‌ ସାବ୍ୟସ୍ତ ହୋଇଥିଲା।

Share