ଯମଜ ସନ୍ତାନର ମା’ ହେବେ କି ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ୍‌ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏନେଇ ଦୁହେଁ ବେଶ୍‌ ଖୁସି ଅଛନ୍ତି। କିନ୍ତୁ ଉଭୟଙ୍କ ପାଇଁ ଏହି ଖୁସି ଦୁଇଗୁଣା ହେବ ବୋଲି ଚର୍ଚ୍ଚା ଜୋର ଧରିଛି। କାରଣ ଆଲିଆ ଯମଜ ସନ୍ତାନ ଜନ୍ମ ଦେବେ। ଯଦିଓ ଏନେଇ କପୁର ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ, କିନ୍ତୁ ନିକଟରେ ଏକ ଶୋ’ରେ ରଣବୀର ଏନେଇ ଏକ ହିଣ୍ଟ ଦେଇଥିଲେ। ଏକ ସାକ୍ଷାତକାର ସମୟରେ ରଣବୀରଙ୍କୁ ଦୁଇଟି ସତ୍ୟ ଏବଂ ଦୁଇଟି ମିଥ୍ୟା କହିବାକୁ କୁହାଯାଇଥିଲା। ଏହାର ଜବାବରେ ରଣବୀର କହିଥିଲେ, ମୋର ଯମଜ ଶିଶୁ ଅଛନ୍ତି। ମୁଁ ଏକ ବହୁତ ବଡ ପୌରାଣିକ ଫିଲ୍ମର ଅଂଶ ହେବାକୁ ଯାଉଛି, ମୁଁ କାମରୁ ବ୍ରେକ ବିରତି ନେଉଛି। ଏଭଳି ମନ୍ତବ୍ୟ ପରେ ପ୍ରଶଂସକମାନେ ଅନୁମାନ କରିବାରେ ବ୍ୟସ୍ତ ଅଛନ୍ତି ଯେ ରଣବୀର-ଆଲିଆ ପ୍ରକୃତରେ ଯମଜ ସନ୍ତାନର ମାତା-ପିତା ହେବାକୁ ଯାଉଛନ୍ତି। ତେବେ ଏହା ସତ୍ୟ କି ମିଥ୍ୟା ତାହା ଆଗାମୀ ଦିନରେ ଜଣାପଡିବ।
ଆଗକୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିବେ। ବିବାହ ପରେ ଉଭୟଙ୍କର ଏକାଠି ଏହା ପ୍ରଥମ ଫିଲ୍ମ ହେବ।

Share