ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାୟଗଡ଼ା ଜିଲା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ବାତ୍ୟା ପୂର୍ବ ପ୍ରସ୍ତୁତି ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଏଥିରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ବୈଠକରେ ଆଭାସୀ ମାଧ୍ୟମରେ ରାମନାଗୁଡ଼ା ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରଶାସନିକ ବିଭାଗକୁ ସତର୍କ ରହିବା ସହ ‘ଜିରୋ କାଜୁଆଲିଟି’ ଅର୍ଥାତ୍ ଶୂନ୍ୟ ଜୀବନହାନି ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ତଳିଆ ଅଞ୍ଚଳ ଏବଂ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସୁରକ୍ଷିତ ପକ୍କା ଘରକୁ ସ୍ଥାନାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଜରୁରୀ ଔଷଧ ଓ ଶିଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ମଧ୍ୟ କୁହାଯାଇଥିଲା।
ବାତ୍ୟା ପ୍ରଭାବରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହେଲେ ତୁରନ୍ତ ତାହା ସଫା କରିବା ଏବଂ ବିଦ୍ୟୁତ ସରବରାହ ବ୍ୟାହତ ହେଲେ ଶୀଘ୍ର ମରାମତି କରିବା ପାଇଁ ସ୍ବତନ୍ତ୍ର ଟିମ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳ, ଗୋସମ୍ପଦ ଏବଂ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଥିଲା। ବାତ୍ୟା ସମ୍ପର୍କରେ ଗୁଜବ କିମ୍ବା ମିଥ୍ୟା ଖବର ପ୍ରଚାର କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ରାମନାଗୁଡ଼ା ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଜନସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବ୍ଲକ ଓ ତହସିଲ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବ୍ଲକରେ ମୋଟ ୧୪ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବାବେଳେ ପ୍ରତ୍ୟେକ ଆଶ୍ରୟସ୍ଥଳୀର ଦାୟିତ୍ୱ ଜଣେ ଅଧିକାରୀଙ୍କୁ ଦିଆଯାଇଛି। ଏଥିସହ ୧୨ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ମା’ ଗୃହକୁ ସ୍ଥାନାନ୍ତର କରିବା ନେଇ ପଦକ୍ଷେପ ନିଆଯାଇଥିବା ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ ସୂଚନା ଦେଇଥିଲେ।
ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଓ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ସମେତ କୃଷି, ଉଦ୍ୟାନ କୃଷି, ମହିଳା ଓ ଶିଶୁ ବିକାଶ ଏବଂ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ସଚେତନ କରିଥିଲେ। ବାତ୍ୟାକୁ ନେଇ ଭୟଭୀତ ନ ହେବା ସହ ଚାଷଜମିରେ ଜଳ ଜମି ରହିବା ଏଡ଼ାଇବା ପାଇଁ ଆଗୁଆ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଚାଷୀ ଭାଇଭଉଣୀଙ୍କୁ ପରାମର୍ଶ ଦିଆଯାଇଥିଲା।
ଏହି ପ୍ରସ୍ତୁତି ବୈଠକରେ ବିଇଓ ସୁଜନ ମଲ୍ଲିକ, ଅତିରିକ୍ତ ତହସିଲଦାର ଗୟା ଡମ୍ବରୁଧର ବେହେରା, ସିଡିପିଓ ଅଞ୍ଜଳି ମହାପାତ୍ର, ଆଇଆଇସି କିରଣ ବଳା ସାମଲ, ବ୍ଲକ କୃଷି ଅଧିକାରୀ ବିଭୂତି ବିଷୋୟୀ, ଯୋଗାଣ ଅଧିକାରୀ ଶଙ୍କର ବେହେରା, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଅଭିଷେକ ପଟ୍ଟନାୟକ ଏବଂ ପ୍ରାଣୀ ଚିକିତ୍ସା ଅଧିକାରୀ କୃଷ୍ଣାନନ୍ଦ ବେହେରାଙ୍କ ସମେତ ଉଦ୍ୟାନ କୃଷି ବିଭାଗର ଅକ୍ଷୟ କୁମାର ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।