ମହାକାଳପଡ଼ା, ୨୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ରାମନଗର କାଜୁଜଙ୍ଗଲ ସଫା କରାଯାଇ ୧୨ ଏକର ବାଲିଆ ଜମିରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଏକ ଔଷଧୀୟ ନର୍ସରି ସ୍ଥାପନ କରାଯାଇଛି। ଉକ୍ତ ନର୍ସରି ଚାରିପାଖରେ ସିମେଣ୍ଟ ଖୁଣ୍ଟ ଓ ତାରବାଡ଼ ବୁଲାଯାଇ ଅଦ୍ୟାବଧି ୨ ସପ୍ତାହ ମଧ୍ୟରେ ପ୍ରାୟ ଅଢ଼େଇ ହଜାର ଚାରାରୋପଣ କରାଯାଇଛି। ଅପରପକ୍ଷରେ ଏହି ନର୍ସରିରେ ଦିନକୁ ୩ ଥର ପାଣି ସିଞ୍ଚନ କରାଯାଉଛି। ହେଲେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଡହଡହ ଖରାରେ ବଡ଼ ଚାରାଗୁଡ଼ିକ ଝାଉଁଳିଯାଉଥିବା ଦେଖିବାକୁ ମିଳୁଛି।
ନୟାଗଡ଼ ଅଞ୍ଚଳରୁ ଫାସି, କଂସ, ବଉଳ, କରଞ୍ଜ, ନିମ୍ବ ଓ ଅନ୍ୟାନ୍ୟ ଔଷଧୀୟ ଚାରା ଆଦି ରୋପଣ କରାଯାଇଥିଲେ ମଧ୍ୟ ଏହା ଜୀବିତ ରହିବା ଅନିଶ୍ଚିତତା ଘେରରେ ରହିଛି। ସାଧାରଣତଃ ମୌସୁମୀ ବାୟୁ ପ୍ରବେଶର ପ୍ରକୃଷ୍ଠ ସମୟ ବର୍ଷାଋତୁ ଆରମ୍ଭରୁ ଚାରାରୋପଣ କରାଯାଇଥାଏ। ହେଲେ ବନ ବିଭାଗର ଦୂରଦୃଷ୍ଟି ଅଭାବରୁ ନର୍ସରିର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। ଅପରପକ୍ଷରେ ଏହି ନୂଆ ନର୍ସରିରେ ମୋଟ ୫ହଜାର ଚାରାରୋପଣ କରାଯିବ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି। ତେବେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ଯୋଗୁ ଚାରା ରୋପଣ କରାଯିବାର କି ପ୍ରକାର ଯଥାର୍ଥତା ରହିଛି ତାହା ବିଭାଗୀୟ ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କାହିଁକି ଏହି ପ୍ରବଳ ଖରାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚାରା ରୋପଣ କରାଯାଉଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ସ୍ବାଇଁ । ଚାରାରୋପଣ କରାଯାଇଛି ହେଲେ ରକ୍ଷଣାବେକ୍ଷଣ ପାଇଁ କ୍ୟାମ୍ପ ଗୃହ ନିର୍ମାଣ କରାଯାଇନାହିଁ ବୋଲି ଦେଖିବାକୁ ମିଳିଛି। କିପରି ଏହି ବୃହତ୍ ନର୍ସରିର ସୁରକ୍ଷିତ ରହିବ ତାହା ପ୍ରାଥମିକତା ଦେବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଁଓଙ୍କରଙ୍କୁ ପଚାରିବାରେ ରାମନଗର ସ୍ଥିତ ଔଷଧୀୟ ଚାରାରୋପଣର ସରଜମିନ ତଦନ୍ତ କରାଯିବ ବୋଲି କହିଛନ୍ତି।