ଖୋଲିଲା ରାମଲିଙ୍ଗେଶ୍ୱର ଉଦ୍ୟାନ

ବ୍ରହ୍ମପୁର ଅଫିସ୍‌,୨୯ା୮: ବ୍ରହ୍ମପୁର ସହରକୁ ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତ ସମୟରେ ରାମ ଲିଙ୍ଗେଶ୍ୱର ଉଦ୍ୟାନ ବନ୍ଦ ରହୁଥିବା ବେଳେ ଶୁକ୍ରବାର ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି। କିନ୍ତୁ ପାର୍କରେ କଟକଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସହରକୁ ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତ ସମୟରେ ରାମଲିଙ୍ଗେଶ୍ୱର ଉଦ୍ୟାନକୁ ଆସନ୍ତା ୩୦ ତାରିଖ ଯାଏ ବନ୍ଦ କରିବା ନେଇ ବିଏମ୍‌ସି ପକ୍ଷରୁ ଉଦ୍ୟାନ ସମ୍ମୁଖରେ ଫଳକ ଲଗାଇ ସୂଚନା ଦିଆଯାଇଥିଲା। ଯାହାକୁ ନେଇ ଭାଜପା ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏହାପରେ ବର୍ତ୍ତମାନ ସର୍ବସାଧାରଣଙ୍କ ନିମନ୍ତେ ରାମଲିଙ୍ଗେଶ୍ୱର ଉଦ୍ୟାନ ଖୋଲାଯାଇଛି। ବର୍ତ୍ତମାନ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି। କିନ୍ତୁ ପାର୍କରେ ସର୍ବସାଧାରଣଙ୍କ ନିମନ୍ତେ ଗୋଟିଏ ପାର୍ଶ୍ୱ ଖୋଲାଯାଇଥିବା ବେଳେ ଅନ୍ୟ ଏକ ପାର୍ଶ୍ୱକୁ ବନ୍ଦ କରାଯାଇଥିବା ନେଇ ଅସନ୍ତୋଷ ଦେଖାଦେଇଛି। ପାର୍କର ଅନ୍ୟ ଏକ ପାର୍ଶ୍ୱରେ ମହାଦେବଙ୍କ ପ୍ରତିମୂର୍ତ୍ତିର ସାୈନ୍ଦର୍ଯ୍ୟ ଉପଭୋଗ କରିବା ସହ ବସିବା ନିମନ୍ତେ ସୁବିଧା କରାଯାଇଛି। ଏହି ସ୍ଥାନଟିକୁ ମନ୍ତ୍ରୀ ଓ ବିଧାୟକଙ୍କ କାର୍ଯ୍ୟକ୍ରମ କାରଣରୁ ସର୍ବସାଧାରଣଙ୍କ ନିମନ୍ତେ ଏହାକୁ ବନ୍ଦ କରାଯାଇଥିବା ସେଠାରେ ବିଏମ୍‌ସିର ନିୟୋଜିତ କିଛି କର୍ମଚାରୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ସ୍ଥାନଟିକୁ ବନ୍ଦ କରାଯାଇଥିବାରୁ ବହୁ ସହରବାସୀ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା।