ଦୁର୍ଘଟଣାରେ ହରାଇଥିଲେ: ଲାଗିଲା କୃତ୍ରିମ ଗୋଡ

ବିନିକା,୧୪ା୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ସିନ୍ଦୂରପୁର ଗ୍ରାମର ରମେଶ ନାଏକ ଦେଢ଼ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ସେ ତାଙ୍କର ଡାହଣ ଗୋଡ଼ ହରାଇଥିଲେ। ଏହାପରେ ଚଳପ୍ରଚଳ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ରମେଶ।

ଖବର ପାଇ ସ୍ଥାନୀୟ ସ୍ବେଚ୍ଛାସେବୀ ଅନଷ୍ଠାନ ହେଲ୍ପ ଟୁ ଅଦର୍ସର ସଦସ୍ୟ ଦେବଦତ୍ତ ପଣ୍ଡାଙ୍କ ଉଦ୍ୟମ ଏବଂ କେତେକ ବଦାନ୍ୟ ବ୍ୟକ୍ତି ରମେଶଙ୍କ କୃତ୍ରିମ ଗୋଡ଼ ଲଗାଇବା ନେଇ ଉଦ୍ୟମ ଆରମ୍ଭ କରିଥିଲେ। ଦେବଦତ୍ତ ଭୁବନେଶ୍ୱର ସ୍ଥିତ ବ୍ରଦର୍‌ ହୁଡ ଫାଉଣ୍ଡେଶନ ପ୍ରତିଷ୍ଠାତା ସଭ୍ୟ ସତ୍ୟଜିତ ସେନାପତିଙ୍କୁ ଏକ କୃତ୍ରିମ ଗୋଡ ଯୋଗାଇବା ପାଇଁ ଅନୁରୋଧ କରିଥିଲେ। ଏଥିରେ ସେନାପତି ରାଜି ହୋଇ ରମେଶଙ୍କୁ ରବିବାର ଭୁବନେଶ୍ୱର ଆସିବା ପାଇଁ କହିଥିଲେ। ରମେଶ ଭୁବନେଶ୍ୱର ଯାଇ ସେଠାରେ ଏକ କୃତ୍ରିମ ଗୋଡ ଲଗାଇ ଖୁସିରେ ଘରକୁ ଫେରଛନ୍ତି।