ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ: ପାର୍ଟ ୧’କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି। ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ଏହି ଫିଲ୍ମର ଗ୍ରାଣ୍ଡ ଥିଏଟ୍ରିକାଲ ରିଲିଜକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଆଡଭାନ୍ସ ବୁକିଂରେ ଭଲ ପ୍ରତିକ୍ରିୟା ମିଳୁଛି। ରିଲିଜ ପୂର୍ବରୁ ହିଁ ଫିଲ୍ମଟି କୋଟି କୋଟି ଟଙ୍କାର ଟିକେଟ ବିକ୍ରି କରିଛି।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ: ପାର୍ଟ ୧’ର ଆଡଭାନ୍ସ ବୁକିଂ ଦଶହରା ଅବସରରେ ଆରମ୍ଭ ହୋଇଥିଲା। ବୁଧବାର ସକାଳ ୧୧ଟା ସୁଦ୍ଧା ଭାରତରେ ପ୍ରଥମ ଦିନ ପାଇଁ ୬,୧୨୬ଟି ଶୋ’ରେ ପ୍ରାୟ ୨.୬୨ ଲକ୍ଷ ଟିକେଟ ବିକ୍ରି ହୋଇଥିଲା। ଏହି ଆଡଭାନ୍ସ ବୁକିଂରୁ ଫିଲ୍ମଟି ବ୍ଲକ ସିଟ୍କୁ ମିଶାଇ ପ୍ରାୟ ୧୪.୦୫ କୋଟି ଟଙ୍କା ଆୟ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ଲକ ସିଟ୍କୁ ବାଦ ଦେଲେ ଆୟ ପ୍ରାୟ ୧୧.୩୩ କୋଟି ଟଙ୍କା ରହିଛି।
ଆଡଭାନ୍ସ ବୁକିଂରେ ନ୍ୟାଶନାଲ କ୍ୟାପିଟାଲ ରିଜିଅନ (ଏନ୍ସିଆର୍) ସବୁଠାରୁ ଆଗରେ ରହିଛି। ଏଠାରୁ ପ୍ରାୟ ୨.୭୫ କୋଟି ଟଙ୍କାର ଟିକେଟ ବିକ୍ରି ହୋଇଛି। ଏହା ପରେ ମୁମ୍ବାଇରୁ ୧.୯୪ କୋଟି ଟଙ୍କା ଏବଂ ବେଙ୍ଗାଲୁରୁରୁ ୧.୭୫ କୋଟି ଟଙ୍କାର ଆଡଭାନ୍ସ ବୁକିଂ ହୋଇଥିବା ଜଣାପଡ଼ିଛି।
ଘରୋଇ ବଜାରରେ ଫିଲ୍ମର ଆଡଭାନ୍ସ ବୁକିଂରେ ହିନ୍ଦୀ ଭର୍ସନର ଯୋଗଦାନ ସବୁଠାରୁ ଅଧିକ ରହିଛି। ହିନ୍ଦୀ ଭର୍ସନ୍ର ପ୍ରାୟ ୧୦.୧୬ କୋଟି ଟଙ୍କାର ଟିକେଟ ବିକ୍ରି ହୋଇଛି, ଯାହା ମୋଟ ଆଡଭାନ୍ସ ବୁକିଂ ଆୟର ପ୍ରାୟ ୮୬ ପ୍ରତିଶତ। ସେହିପରି କନ୍ନଡ଼ ଡବ ଭର୍ସନ୍ରୁ ୧.୨୭ କୋଟି ଟଙ୍କା ଏବଂ ତେଲୁଗୁ ଭର୍ସନ୍ରୁ ପ୍ରାୟ ୩୭.୮୫ ଲକ୍ଷ ଟଙ୍କାର ଆଡଭାନ୍ସ ବୁକିଂ ହୋଇଛି।
କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ‘ରାମାୟଣ: ପାର୍ଟ ୧’କୁ ଭଲ ପ୍ରତିକ୍ରିୟା ମିଳୁଥିବା ରିପୋର୍ଟରେ କୁହାଯାଇଛି। ବିଦେଶରେ ପ୍ରଥମ ଦିନର ଆଡଭାନ୍ସ ବୁକିଂ ୨୦ ଲକ୍ଷ ଡଲାର ଅତିକ୍ରମ କରିଛି। ଏଥିରେ ଉତ୍ତର ଆମେରିକାର ଯୋଗଦାନ ଉଲ୍ଲେଖନୀୟ। କେବଳ ଉତ୍ତର ଆମେରିକାରୁ ପ୍ରାୟ ୭.୫ ଲକ୍ଷ ଡଲାର ଆୟ ହୋଇଥିବାବେଳେ ଏଥିରେ ପ୍ରିମିୟର୍ ସ୍କ୍ରିନିଂରୁ ମିଳିଥିବା ୫.୫ ଲକ୍ଷ ଡଲାର ମଧ୍ୟ ସାମିଲ ରହିଛି।