ପଢ଼ାଖର୍ଚ୍ଚ ପାଇଁ ରମାଦେବୀର ବଣ୍ଡା ଛାତ୍ରୀ ଦିନମଜୁରିଆ

ମାଲକାନଗିରି,୩୧।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡାଘାଟିର ୫ ପଞ୍ଚାୟତରେ ୩୫ରୁ ଊର୍ଦ୍ଧ୍ୱ ଗ୍ରାମରେ ବଣ୍ଡା ଜନଜାତି ବସବାସ କରୁଛନ୍ତି। ଗତବର୍ଷ ମାଲକାନଗିରି ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ବଣ୍ଡାଘାଟି ବାଣ୍ଡିପଡ଼ା ଗ୍ରାମର ଛାତ୍ରୀ କର୍ମା ମୁଦୁଲି ଗୋବିନ୍ଦପାଲ୍ଲୀ ମହାବିଦ୍ୟାଳୟରେ ଅଧ୍ୟୟନ କରି ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଜିଲାରେ ପ୍ରଥମ ହୋଇଥିଲେ। ପରେ କର୍ମାଙ୍କୁ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟିଥିଲା। ୨୦୨୨ ଅଗଷ୍ଟ ୧୪ରେ ମାଲକାନଗିରି ସଦର ମହକୁମାରେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ କରାଯାଇଥିବା କାର୍ଯ୍ୟକ୍ରମରେ ତତ୍କାଳୀନ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କୁ ସମ୍ମାନିତ କରିଥିଲେ। ସେହିପରି ଅଗଷ୍ଟ ୧୫ରେ ରାଜ୍ୟ ସରକାରଙ୍କ ତରଫରୁ ମାଲକାନଗିିରି ଜିଲାସ୍ତରୀୟ ପରେଡରେ ଶିକ୍ଷାମନ୍ତ୍ରୀ ସ୍ବତନ୍ତ୍ର ଭାବେ କର୍ମାଙ୍କୁ ସମ୍ବର୍ନ୍ଧିତ କରିଥିଲେ। ସେହି ସମୟରେ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ସଫଳତାକୁ ପ୍ରସାର କରାଯାଇ ବଣ୍ଡା ଜନଜାତିଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିଥିବା ପ୍ରଚାର କରାଯାଇଥିଲା। ଏପରିକି ରାଜ୍ୟପାଳ ମଧ୍ୟ ଟୁଇଟ୍‌ କରି କର୍ମାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ ଜିଲା ପ୍ରଶାସନ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ରେ କର୍ମାଙ୍କ ନାମ ଲେଖାଇ କେତେକ ପୁସ୍ତକ ଓ ନୋଟ୍‌ବୁକ ଦେଇଥିଲା। ହେଲେ ଅର୍ଥାଭାବ ଯୋଗୁ ରହିବା ଓ ଖାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଲା। ପଢ଼ା ଖର୍ଚ୍ଚ ତୁଲାଇବା ଲାଗି କିଛି ଗୋଟେ କରିବା ଦରକାର ବୋଲି ମନସ୍ଥ କରି ଖରାଛୁଟିରେ ଦିନମଜୁରିଆ ହେବାକୁ ବାଧ୍ୟ ହେଲେ।
ନିଜର ଦୟନୀୟ ସ୍ଥିତିକୁ ଧରି ମାଲକାନଗିରିରୁ ଭୁବନେଶ୍ୱର ତାଙ୍କ ଶିକ୍ଷାଯାତ୍ରା ଏକ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଥିଲା। ବିଶ୍ୱବିଦ୍ୟାଳୟ ଛାତ୍ରୀ ଥାଇ ମୂଲ ଲାଗିବା ସଂକ୍ରାନ୍ତରେ ପ୍ରଶ୍ନ ହେବାରୁ କର୍ମା କହିଛନ୍ତି, ଭୁବନେଶ୍ୱର ଭଳିି ଜାଗାରେ କେବଳ ନାମ ଲେଖାଇଦେଲେ ହେବ ନାହିଁ। ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ତାଙ୍କ ପରିବାର ପକ୍ଷେ ସମ୍ଭବ ନୁହେଁ। ତେଣୁ ବାଧ୍ୟହୋଇ ସେ ଭୁବନେଶ୍ୱରରୁ ଆସି ମାଲକାନଗିରିରେ ଅର୍ଥ ଉପାର୍ଜନ ପାଇଁ ମୂଲ ଲାଗୁଛନ୍ତି। ଦୈନିକ ୨୫୦ ଟଙ୍କା ମଜୁରି ମିଳୁଥିବାରୁ ତାହାକୁ ସଞ୍ଚୟ କରି ସେ ପୁନର୍ବାର ଭବନେଶ୍ୱର ଯାଇ ନିଜ ଖର୍ଚ୍ଚ ସହ ପାଠ୍ୟ ଉପକରଣ କିଣି ପଢ଼ାପଢ଼ି କରିପାରିବେ ବୋଲି କହିଛନ୍ତି।
କର୍ମାଙ୍କୁ ଛାଡ଼ିଦେଲେ ପରିବାରର ଅନ୍ୟମାନେ ଦିନ ମଜୁରିଆ। ୪ ଭଉଣୀ ଓ ଭାଇଙ୍କ ମଧ୍ୟରେ କେବଳ ସେ ହିଁ ପାଠ ପଢ଼ୁଛନ୍ତି। ଉଚ୍ଚଶିକ୍ଷା ପାଇଁ ଦୃଢ଼ମନା ଏହି ମେଧାବୀ ଛାତ୍ରୀ ଆଗକୁ ବଢ଼ିବାକୁ ହେଲେ ଅର୍ଥର ଆବଶ୍ୟକତା ପାଇଁ ସେ ବାଧ୍ୟହୋଇ ଅନ୍ୟ ସମୟରେ ଦିନ ମଜୁରିଆ ହେବେ ବୋଲି କହିବା ପରେ ତାଙ୍କ ସଂଘର୍ଷର କାହାଣୀ ଏବେ ଗଣମାଧ୍ୟମ ବିଶେଷକରି ସୋସିଆଲ ମିଡିଆରେ ଜୋରଦାର ଆଲୋଚନା ହେଉଛି ।