୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର

ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମାରେ। ସୀମାନ୍ତ ସୁକୁମା ଜିଲା ଘଞ୍ଚ ଜଙ୍ଗଲ ଭିତରେ ଥିବା ଲଖାପାଲ ଓ କେରଲାପେନ୍ଦା ଗଁାରେ ୭୪ ବାଟାଲିଅନ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ବନ୍ଦ ହୋଇ ରହିଥିବା ରାମ ମନ୍ଦିର କବାଟ ଖୋଲିଛନ୍ତି ସୁରକ୍ଷା କର୍ମୀ। ମନ୍ଦିରର ଚାରି ପାଖ ଜଙ୍ଗଲ ସଫା କରିବା ପରେ ସିଆରପିଏଫ ବାହିନୀ ସେଠାରେ ରବିବାର ପଣା ସଂକ୍ରାନ୍ତି ପାଳନ କରିବା ସହ ଦୀର୍ଘ ୨୧ ବର୍ଷ ପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା କରାଯାଇଛି, ଯାହାକୁ ନେଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।
ଯେମିତି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଶେଷକରିବା ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡିଲା, ଠିକ୍‌ ସେମିତି ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲାରେ ଆଉ ଏକ ରାମ ମନ୍ଦିରର କବାଟ ଖୋଲିବା ଲାଗି ସ୍ଥାନୀୟ ଆଦିବାସୀଙ୍କୁ ଦୀର୍ଘ ୨୧ବର୍ଷ ଅପେକ୍ଷା କରିବାକୁ ପଡିଲା। ଗତ ୨୧ ବର୍ଷତଳେ ଅର୍ଥାତ୍‌ ୨୦୦୩ରେ ଲାଲ୍‌ ଗଡ ଭାବେ ପରିଚିତ ସୁକୁମା ଜିଲାରେ ମାଓବାଦୀମାନେ ନିଜର ପତିଆରା ଦେଖାଇବା ସହ ବନ୍ଦକରି ଦେଇଥିଲେ ସେଠାରେ ଥିବା ପ୍ରାଚୀନ ଶ୍ରୀରାମ ମନ୍ଦିରର ପୂଜା ପାଠ ।