Categories: ଜାତୀୟ

ରାମମନ୍ଦିର: ତମ୍ବା ରହିବ ହଜାରେ ବର୍ଷ

ନୂଆଦିଲ୍ଲୀ, ୨୧ା୮:ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଓ ଆଗାମୀ ୪୦ ମାସ ମଧ୍ୟରେ ଏକ ବିରାଟ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗୁରୁବାର ଟ୍ରଷ୍ଟର ବୈଠକ ବସି ରାମମନ୍ଦିର ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଯୋଧ୍ୟା ମନ୍ଦିର କାର୍ଯ୍ୟରେ ସିବିଆର୍‌ଆଇ ରୁର୍କି, ଆଇଆଇଟି ମାଡ୍ରାସ, ନିର୍ମାଣ କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋ(ଏଳ୍‌ ଆଣ୍ଡ ଟି)ର କର୍ମଚାରୀ ଲାଗିଛନ୍ତି ଓ ମନ୍ଦିର ପାର୍ଶ୍ୱ ମାଟି ପରୀକ୍ଷା ଜାରି ରଖିଛନ୍ତି। ଆଗାମୀ ୩୬ରୁ ୪୦ ମାସ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
ଭାରତର ପ୍ରାଚୀନ ପରମ୍ପରା ଓ କାରିଗରି କୌଶଳ ଅନୁଯାୟୀ ନିର୍ମାଣ କାର୍ଯ୍ୟ କରାଯିବ। ଝଡ଼, ଭୂକମ୍ପ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ମନ୍ଦିରର ଯେପରି କୌଣସି କ୍ଷତି ନ ହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଏହି ଐତିହାସିକ ମନ୍ଦିରରେ କୌଣସି ଲୁହାର ବ୍ୟବହାର କରାଯିବ ନାହିଁ ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରକାଶ କରାଯାଇଛି। ମନ୍ଦିର ଲାଗି ପଥରକୁ ଚାପି ରଖିବାକୁ ତମ୍ବା ପ୍ଲେଟ୍‌ ବ୍ୟବହାର କରାଯିବ। ପ୍ଲେଟ୍‌ଗୁଡ଼ିକ ୧୮ ଇଞ୍ଚ ଲମ୍ବ, ୩୦ ଏମ୍‌.ଏମ୍‌. ଚଉଡ଼ା ରହିବ। ଏଭଳି ୧୦ ହଜାର ପ୍ଲେଟ୍‌ ବ୍ୟବହାର କରାଯିବାର ସମ୍ଭାବନା ରହିଛି। ରାମଭକ୍ତମାନେ ଏଭଳି ତମ୍ବା ପ୍ଲେଟ୍‌ ଟ୍ରଷ୍ଟକୁ ଦାନ କରିବା ଲାଗି ଟୁଇଟ ଯୋଗେ ଅନୁରୋଧ କରାଯାଇଛି। ଏଥିସହ ମୁସଲମାନମାନେ ମଧ୍ୟ ତମ୍ବା ଦାନ କରିପାରିବେ ବୋଲି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଇ କହିଛନ୍ତି। ମନ୍ଦରକୁ ଏଭଳି ପ୍ରସ୍ତୁତ କରାଯିବ, ଯାହା ଫଳରେ ଏହା ହଜାରେ ବର୍ଷ ତିଷ୍ଠି ରହିପାରିବ ବୋଲି ସେ ମତ ଦେଇଛନ୍ତି।

Share