ରାମ କେବଳ ଏକ ଧର୍ମର ନୁହନ୍ତି, ସବୁ ଭାରତୀୟଙ୍କ ରକ୍ତରେ ଅଛନ୍ତି: ଚର୍ଚ୍ଚାରେ ଜାଭେଦ ଅଖତରଙ୍କ ମନ୍ତବ୍ୟ

ବିଶିଷ୍ଟ ଗୀତିକାର ଓ ପଟ୍ଟକଥା ଲେଖକ ଜାଭେଦ ଅଖତର ଭଗବାନ ଶ୍ରୀରାମଙ୍କ ପ୍ରଶଂସା କରି କହିଛନ୍ତି। ରାମ ଏକ ପୂଜନୀୟ ବ୍ୟକ୍ତିତ୍ୱ। ତାଙ୍କ ମହତ୍ତ୍ୱ କୌଣସି ଗୋଟିଏ ଧର୍ମର ସୀମା ମଧ୍ୟରେ ସୀମିତ ନୁହେଁ। ଧର୍ମ ଯାହା ହେଉନା କାହିଁକି, ରାମଙ୍କ ଆଦର୍ଶ ପ୍ରତ୍ୟେକ ଭାରତୀୟଙ୍କ ଜୀବନ ସହ ଜଡ଼ିତ ବୋଲି ସେ କହିଛନ୍ତି। ଇଣ୍ଡିଆନ ପରଫର୍ମିଂ ରାଇଟ ସୋସାଇଟି (IPRS)ର ମ୍ୟୁଜିକ କ୍ରିଏଟର୍‌ ରିପୋର୍ଟ ଉନ୍ମୋଚନ ଅବସରରେ ସେ ଏହି ମତ ରଖିଥିଲେ। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାମାୟଣ’ ବିଷୟରେ ଭଲ କଥା ଶୁଣିଥିବା କହିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଫିଲ୍ମଟି ଦେଖିନାହାନ୍ତି।

ଜାଭେଦ ଅଖତର କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ଫିଲ୍ମଟି ଦେଖିନାହିଁ। ମୋ ଝିଅ ଝିଅ ତଥା ଫିଲ୍ମ ନିର୍ମାତା ଜୋୟା ଏହା ଦେଖିଛି ଏବଂ ପ୍ରଶଂସା କରିଛି। ସେ କୌଣସି ଜିନିଷର ପ୍ରଶଂସା ଖୁବ କମ କରେ। ଏପର୍ଯ୍ୟନ୍ତ ମୋର ପ୍ରଶଂସା ମଧ୍ୟ ତା’ଠାରୁ ଶୁଣିନାହିଁ। ରାମ କେବଳ ଜଣେ ବ୍ୟକ୍ତି ନୁହନ୍ତି; ସେ ଏକ ଆଦର୍ଶ, ନୈତିକତା ଓ ଜୀବନ ଜିଇଁବାର ମାର୍ଗର ପ୍ରତୀକ। ରାମଙ୍କ ବ୍ୟକ୍ତିତ୍ୱରେ ଏକ ସ୍ବତନ୍ତ୍ର ସୌନ୍ଦର୍ଯ୍ୟ ଓ ନୈତିକତା ରହିଛି, ଯାହା ମଣିଷର ହୃଦୟକୁ ସ୍ପର୍ଶ କରେ। ରାମ ପ୍ରତ୍ୟେକ ଭାରତୀୟଙ୍କ ରକ୍ତରେ ଅଛନ୍ତି। ମୋ ଏହି କଥାରେ ହୁଏତ ଅନେକ ଲୋକ ଅସନ୍ତୁଷ୍ଟ ହୋଇପାରନ୍ତି। କିନ୍ତୁ ଧର୍ମ ଯାହା ହେଉନା କାହିଁକି, ରାମଙ୍କ ମୂଳ ଆଦର୍ଶ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ରହିଛି। ତାଙ୍କୁ କେବଳ ଜଣେ ବ୍ୟକ୍ତି ଭାବେ ଦେଖିବା ଠିକ ନୁହେଁ। ତାଙ୍କ ବ୍ୟକ୍ତିତ୍ୱ ଏହାଠାରୁ ବହୁତ ବଡ଼। ସେ ଏକ ଜୀବନଶୈଳୀ।

 

Dharitri – Odisha’s No.1 Odia Daily

 

Share