ବାପା ହେଲେ ରାମ ଚରଣ

ଚେନ୍ନାଇ: ବାପା ହୋଇଛନ୍ତି ସାଉଥ ସୁପରଷ୍ଟାର ରାମ ଚରଣ। ମେଗାଷ୍ଟାର ଚିରଞ୍ଜିବଙ୍କ ପରିବାର ଦୀର୍ଘ ୯ ମାସ ହେବ ଯେଉଁ ଦିନକୁ ଅପେକ୍ଷା ରଖିଥିଲେ ଶେଷରେ ଏହି ଅପେକ୍ଷାର ଅନ୍ତ ହୋଇଛି। ୨୦ ଜୁନ ମଙ୍ଗଳବାର ରାମ ଚରଣ ଓ ଉପାସନା ଏକ କନ୍ୟା ସନ୍ତାନର ଅଭିଭାବକ ହୋଇଛନ୍ତି। ଘରକୁ କନ୍ୟା ସନ୍ତାନ ଆସିଥିବାରୁ ଖୁସିରେ ଝୁମି ଉଠିଛନ୍ତି ଚିରଞ୍ଜିବଙ୍କ ପରିବାର। ରାମ ଚରଣଙ୍କ ପରିବାର ରାଜକୁମାରୀଙ୍କୁ ପାଇ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି। ଏବେ ରାମ ଚରଣଙ୍କ ପ୍ରଶଂସକଙ୍କ ପକ୍ଷରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି।

ରାମ ଚରଣଙ୍କ ପତ୍ନୀ ଉପସାନା ୨୦ ଜୁନ ମଙ୍ଗଳବାର ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବିବାହର ୧୧ବର୍ଷ ପରେ ଉଭୟ ପିତାମାତା ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଶିଶୁ ଏବଂ ମା’ଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେମାନେ ସୁସ୍ଥ ଅଛନ୍ତି। ମେଗାଷ୍ଟାର ଚିରଞ୍ଜିବ ଏବଂ ତାଙ୍କ ପତ୍ନୀ ସୁରେଖା ଏବଂ କାମିନେନି ପରିବାର ନୂଆ ସଦସ୍ୟଙ୍କୁ ସ୍ବାଗତ କରି ଖୁସିରେ ଆତ୍ମହରା ହୋଇଛନ୍ତି। ଗତ ବର୍ଷ ଡିସେମ୍ବରରେ ରାମ ଚରଣ ଏବଂ ଉପସାନା ଘୋଷଣା କରିଥିଲେ ଯେ ସେମାନେ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ ଆଶା କରୁଛନ୍ତି। ଏହି ଖବର ଶୁଣି ପ୍ରଶଂସକ ଖୁବ ଖଉସି ହୋଇଥିଲେ। ଉପାସନା ଗର୍ଭଧାରଣ ସମୟରେ ରାମ ଚରଣଙ୍କ ସହ ଅନେକ ସହର ଏବଂ ଦେଶ ଭ୍ରମଣ କରିଥିଲେ ।

Share