ରକୁଲପ୍ରୀତ ସାଜିବେ ଆୟୁଷ୍ମାନଙ୍କ ହିରୋଇନ

ମୁମ୍ବାଇ: ଜଙ୍ଗଲି ପିକ୍‌ଚର୍ସ ଆୟୁଷ୍ମାନ ଖୁରାନାଙ୍କୁ ନେଇ ପୁଣିଥରେ ଫିଲ୍ମ ‘ଡକ୍ଟର ଜୀ’ ନିର୍ମାଣ କରିବାକୁ ଯୋଜନା କରିଛି । ଏ ସମ୍ପର୍କରେ ଗତ ଡିସେମ୍ବରରେ ଘୋଷଣା କରାଯାଇଥିଲା । ଏହାର ନିର୍ଦ୍ଦେଶନା ଅନୁଭୂମି କଶ୍ୟପ କରୁଛନ୍ତି । ଏହାସହ ଏଥିରେ ଆୟୁଷ୍ମାନଙ୍କ ସହ ରକୁଲପ୍ରୀତ ସିଂଙ୍କୁ ନାୟିକା ଭାବେ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିରେ ରକୁଲ ଜଣେ ମେଡିକାଲ ଛାତ୍ରୀ ଫାତିମା ଭୂମିକାରେ ନଜର ଆସିବେ । ଆଉ ଆୟୁଷ୍ମାନ ଜଣେ ଡାକ୍ତର ଉଦୟ ଭୂମିକାରେ ନଜର ଆସିବେ । ତେବେ ରକୁଲଙ୍କୁ ଏଥିପାଇଁ ଅଫର ମିଳିଥିବାରୁ ସେ ଖୁବ୍ ଖୁସି । ନିକଟରେ ଏକ ସାକ୍ଷାତ୍‌କାରରେ ରକୁଲ କହିଛନ୍ତି, ଏହି ଫିଲ୍ମରେ ଅଭିନୟ କରିବା ମୋ ପାଇଁ ଏକ ଭିନ୍ନ ଅନୁଭୁତି ଆଣିଦେବ । ଏହାସହ ଏହି ଫିଲ୍ମ ମାଧ୍ୟମରେ ପ୍ରଥମ କରି କିଛି କଥା ମୋ ସହ ଘଟିବ । ଯେମିତିକି ଆୟୁଷ୍ମାନଙ୍କ ସହ ପ୍ରଥମଥର ସ୍କ୍ରିନ୍ ଶେୟାର କରିବା, ଏହାସହ ମେଡିକାଲ ପ୍ରଫେସନ ଓ କଲେଜ କ୍ୟାମ୍ପସର କାହାଣୀ ଦର୍ଶକଙ୍କୁ ବେଶ୍ ପସନ୍ଦ ବି ଆସିବ । ଏହାର ଶୁଟିଂ ପାଇଁ କେବଳ ମୁଁ ଅପେକ୍ଷା ରଖିଛି ବୋଲି ସେ କହିଛନ୍ତି । ଆଉ ଏଥିପାଇଁ ପ୍ରଯୋଜକ ନିର୍ଦ୍ଦେଶକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଅନୁଭୂମି କଶ୍ୟପ କହିଛନ୍ତି ଦୁଇ ଭିନ୍ନ ଭିନ୍ନ ଚରିତ୍ରଙ୍କ ସହ କାମ କରିବାକୁ ନେଇ ସେ ମଧ୍ୟ ଉତ୍ସାହିତ ଅଛନ୍ତି । ଆଉ ଏମାନଙ୍କ ଏନର୍ଜି ସହ ଦୁଇ ଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ । ଜଙ୍ଗଲି ପିକଚର୍ସର ସିଇଓ ଅମୃତା ପାଣ୍ଡେୟ କହିଛନ୍ତି ଏହାର କାହାଣୀ ମୋ ହୃଦୟର । ଆଉ ରକୁଲଙ୍କୁ ପାଇଁ ଆମେ ଖୁବ୍ ଖୁସି । ଏହାର ଶୁଟିଂ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।

Share