କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ ଉପହାର ଦେଇଥାନ୍ତି। ଏହି ଗିଫ୍ଟ ଲିଫାପାରେ ଥିବା ନଗଦ ଟଙ୍କାରୁ ଆରମ୍ଭ କରି ସୁନା ଗହଣା, ସେୟାର କିମ୍ୱା କୌଣସି ସମ୍ପତ୍ତି (ପ୍ରପର୍ଟି) ବି ହୋଇପାରେ। ତେବେ ଖୁସିର ଏହି ଅବସରରେ ଆୟକର (ଇନକମ ଟ୍ୟାକ୍ସ) ବିଭାଗ ବି ନଜର ରଖିଥାଏ। ଭଉଣୀଙ୍କୁ ମିଳୁଥିବା ଗିଫ୍ଟ ଟ୍ୟାକ୍ସ ପରିସରଭୁକ୍ତ ହେବ କି ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ଆୟକର ନିୟମ ଉପରେ ର୍ନିଭର କରେ।

ଆୟକର ଅଧିନିୟମର ସେକ୍ସନ 56(2)(x) ଅନୁଯାୟୀ ଗିଫ୍ଟ ଉପରେ ଟ୍ୟାକ୍ସ ନିୟମ ସ୍ଥିର ହୋଇଥାଏ। ଏହି ନିୟମ ମୁତାବକ, ଯଦି ଆପଣଙ୍କୁ ‘ଆତ୍ମୀୟ/ସମ୍ପର୍କୀୟ’ (Relative) ଶ୍ରେଣୀରେ ନ ଆସୁଥିବା କୌଣସି ବ୍ୟକ୍ତିଙ୍କଠାରୁ ଗୋଟିଏ ଆର୍ଥିକ ବର୍ଷରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗିଫ୍ଟ ମିଳେ, ତେବେ ତାହା ସଂପୂର୍ଣ୍ଣ ଟ୍ୟାକ୍ସଯୋଗ୍ୟ ହେବ। ଏହାକୁ ’ଅନ୍ୟାନ୍ୟ ଉତ୍ସରୁ ଆୟ’ (Income from Other Sources) ଭାବେ ଗ୍ରହଣ କରାଯାଇ ଆପଣଙ୍କ ଟ୍ୟାକ୍ସ ସ୍ଲାବ ହିସାବରେ ଟ୍ୟାକ୍ସ ଆଦାୟ କରାଯିବ।

ତେବେ ଏଥିରେ ଏକ ବଡ଼ ଛାଡ଼ ବି ରହିଛି। ଯଦି ଗିଫ୍ଟ କୌଣସି ର୍ନିଦ୍ଦିଷ୍ଟ ‘ସମ୍ପର୍କୀୟ’ଙ୍କଠାରୁ ମିଳିଥାଏ, ତେବେ ତା’ର କୌଣସି ସୀମା ନାହିଁ। ଭଉଣୀ ପାଇଁ (ନିଜ) ଭାଇ ଏହି ସମ୍ପର୍କୀୟ ତାଲିକାରେ ଆସିଥାନ୍ତି। ଯଦି ଭାଇ ନିଜ ଭଉଣୀଙ୍କୁ ୧ ଲକ୍ଷ ଟଙ୍କା କ୍ୟାସ ସହ ୨ ଲକ୍ଷ ଟଙ୍କାର ସୁନା ଚେନ ବି ଦିଅନ୍ତି, ତଥାପି ଭଉଣୀଙ୍କୁ ଟଙ୍କାଟିଏ ବି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ।

ଅଧିକାଂଶ ପରିବାର ଏହି ନିୟମକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଆୟକରର ସେକ୍ସନ 56(2)(x) ରେ ସଦର ଭାଇଙ୍କୁ ସମ୍ପର୍କୀୟ ଭାବେ ଗ୍ରହଣ କରାଯାଇଛି, କିନ୍ତୁ ପିଉସୀ କିମ୍ୱା ମାଉସୀ ପୁଅ/ଝିଅ ଭାଇ-ଭଉଣୀ (Cousin) ଙ୍କୁ ଏହି ତାଲିକାରୁ ବାହାରେ ରଖାଯାଇଛି।

ଯଦି ଜଣେ ଭଉଣୀ ନିଜ ଭାଇଙ୍କଠାରୁ ୭୫ ହଜାର ଟଙ୍କାର ଗିଫ୍ଟ ନିଅନ୍ତି, ତେବେ ତାହା ସଂପୂର୍ଣ୍ଣ ଟ୍ୟାକ୍ସ ଫ୍ରି। କିନ୍ତୁ ଯଦି ସେହି ୭୫ ହଜାର ଟଙ୍କାର ଗିଫ୍ଟ କୌଣସି (Cousin) ଭାଇ ଦେଇଥାନ୍ତି, ତେବେ ସମ୍ପୂର୍ଣ୍ଣ ୭୫ ହଜାର ଟଙ୍କା ଉପରେ ଭଉଣୀଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ। ୫୦ ହଜାର ଟଙ୍କାର ସୀମା କୌଣସି ଛାଡ଼ ନୁହେଁ, ବରଂ ଏକ ର୍ନିଦ୍ଦିଷ୍ଟ ଦାୟରା। ଯଦି ପୁରା ବର୍ଷରେ ସାଙ୍ଗସାଥୀ କିମ୍ୱା କଜିନ ଭାଇ-ଭଉଣୀଙ୍କଠାରୁ ମିଳିଥିବା ମୋଟ ଗିଫ୍ଟ ୪୯ ହଜାର ଟଙ୍କା ହୋଇଥାଏ, ତେବେ କୌଣସି ଟ୍ୟାକ୍ସ ଲାଗିବ ନାହିଁ। କିନ୍ତୁ ଏହା ୫୧ ହଜାର ଟଙ୍କା ହୋଇଗଲେ, ପୁରା ୫୧ ହଜାର ଟଙ୍କା ଟ୍ୟାକ୍ସଯୋଗ୍ୟ ହୋଇଯିବ। ବାହାଘର ଅବସରରେ କାହାଠାରୁ ବି ମିଳୁଥିବା ଗିଫ୍ଟ ଟ୍ୟାକ୍ସ ଫ୍ରି ହୋଇଥାଏ, କିନ୍ତୁ ରାଖି, ଦୀପାବଳି କିମ୍ୱା ଜନ୍ମଦିନରେ ଏହି ଛାଡ଼ ମିଳେନାହିଁ।

ଅନେକ ସମୟରେ ଭାଇ ନିଜ ଭଉଣୀଙ୍କୁ ଫ୍ଲାଟ କିମ୍ୱା ଜମି ପ୍ଲଟ ଗିଫ୍ଟ କରିଥାନ୍ତି। ବିନା କୌଣସି ମୂଲ୍ୟରେ ମିଳିଥିବା ଏପରି ଅଚଳ ସମ୍ପତ୍ତି କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟି ଭାଲ୍ୟୁକୁ ଗିଫ୍ଟର ମୂଲ୍ୟ ଭାବେ ଗ୍ରହଣ କରାଯାଏ। ଯଦି ସଦର ଭାଇ ୪୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଭାଲ୍ୟୁ ଥିବା ଫ୍ଲାଟ ଗିଫ୍ଟ କରନ୍ତି, ତେବେ ତାହା ସଂପୂର୍ଣ୍ଣ ଟ୍ୟାକ୍ସ ଫ୍ରି ରହିବ। ତେବେ ଏହି ଗିଫ୍ଟ ଡିଡ୍ର ରେଜିଷ୍ଟ୍ରେସନ ହେବା ଆବଶ୍ୟକ। ଯଦି ଏହି ସମାନ ଫ୍ଲାଟ କୌଣସି ସାଙ୍ଗ ଦେଇଥାନ୍ତେ, ତେବେ ସମ୍ପୂର୍ଣ୍ଣ ୪୦ ଲକ୍ଷ ଟଙ୍କା ଉପରେ ସେହି ବର୍ଷ ହିଁ ଟ୍ୟାକ୍ସ ଦେବାକୁ ପଡ଼ିଥାନ୍ତା।

ଭଲପାଇବାରେ ଅନେକ ସମୟରେ ଭାଇ ନିଜ ଭଉଣୀଙ୍କୁ ବଡ଼ ପରିମାଣର ନଗଦ ଟଙ୍କା (କ୍ୟାସ) ଦେଇଦିଅନ୍ତି। ଏହିଠାରେ ହିଁ ଏକ ବଡ଼ ଭୁଲ ହୋଇପାରେ। ଆୟକରର ସେକ୍ସନ 269ST ଅନୁଯାୟୀ, କୌଣସି ବି ବ୍ୟକ୍ତି ଗୋଟିଏ ଦିନରେ କିମ୍ୱା ଗୋଟିଏ ଟ୍ରାଞ୍ଜାକ୍ସନରେ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ କିମ୍ୱା ତା’ଠାରୁ ଅଧିକ ଟଙ୍କାର କ୍ୟାସ ନେଇପାରିବେ ନାହିଁ।

ଯଦି ଭାଇ ନିଜ ଭଉଣୀଙ୍କୁ ୨ ଲକ୍ଷ ଟଙ୍କା କ୍ୟାସ ଦିଅନ୍ତି, ତେବେ ଆତ୍ମୀୟ ହୋଇଥିବାରୁ ଇନକମ ଟ୍ୟାକ୍ସ ତ ଲାଗିବ ନାହିଁ, କିନ୍ତୁ ସେକ୍ସନ 271DA ଅଧୀନରେ ଭଉଣୀଙ୍କ ଉପରେ ସମ୍ପୂର୍ଣ୍ଣ ୨ ଲକ୍ଷ ଟଙ୍କାର ଜରିମାନା (Penalty) ଲାଗିଯିବ। ତେଣୁ ବଡ଼ ପରିମାଣର ଟଙ୍କା ସବୁବେଳେ ଚେକ, NEFT କିମ୍ୱା UPI ଜରିଆରେ ନେବା ଉଚିତ।

ଯଦି ଭଉଣୀ ମିଳିଥିବା ଟଙ୍କାକୁ କୌଣସି ଫିକ୍ସଡ ଡିପୋଜିଟ (FD) ରେ ନିବେଶ କରନ୍ତି, ତେବେ ସେଥିରୁ ମିଳୁଥିବା ସୁଧ ଆୟ ଉପରେ ଭଉଣୀଙ୍କୁ ହିଁ ଟ୍ୟାକ୍ସ ଦେବାକୁ ପଡ଼ିବ। ସେକ୍ସନ 64 ଅନୁଯାୟୀ, ଆୟର କ୍ଲବିଂ (Clubbing of Income) ନିୟମ ସୱାମୀ-ସ୍ତ୍ରୀ କିମ୍ୱା ନାବାଳକ ସନ୍ତାନଙ୍କ ଉପରେ ଲାଗୁ ହୋଇଥାଏ, ଭଉଣୀଙ୍କ ଉପରେ ନୁହେଁ। ତେଣୁ ଭାଇ ଦେଇଥିବା ଗିଫ୍ଟ ସମ୍ପୂର୍ଣ୍ଣ ଭାବେ ଭଉଣୀଙ୍କ ସମ୍ପତ୍ତି ପାଲଟିଯାଏ।

Share