Categories: ଜାତୀୟ

୪୪ ଥର ଜେଲ ଯାଇଛନ୍ତି ରାକେଶ ଟିକାଏତ୍‌

ନୂଆଦିଲ୍ଲୀ,୩୦ା୧: କୃଷି ଆଇନ ବିରୋଧୀ ଆନ୍ଦୋଳନର ପୁରୋଧା ସାଜିଥିବା ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖପାତ୍ର ରାକେଶ ଟିକାଏତ୍‌ ପୂର୍ବରୁ ଅନେକ ବିକ୍ଷୋଭରେ ସାମିଲ ହୋଇ ୪୪ ଥର ଜେଲ ଯାଇଛନ୍ତି। କୃଷକଙ୍କ ପାଇଁ ଲଢ଼େଇ କରିବା ପୂର୍ବରୁ ସେ ଦିଲ୍ଲୀ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ୧୯୬୯ ଜୁନ୍‌ ୪ରେ ଉତ୍ତରପ୍ରଦେଶର ମୁଜାଫରନଗର ଜିଲା ସିସାଉଲି ଗ୍ରାମରେ ରାକେଶ ସିଂ ଟିକାଏତ୍‌ଙ୍କ ଜନ୍ମ। ତାଙ୍କ ବାପା ଚୌଧରୀ ମହେନ୍ଦ୍ର ସିଂ ଟିକାଏତ୍‌ ଇଣ୍ଡିଆନ୍‌ ଫାର୍ମର୍ସ ୟୁନିୟନର ଅଧ୍ୟକ୍ଷ ଥିଲେ। ୧୯୮୭ରେ ଶାମଲି ଜିଲାର କର୍ମୁଖେରିରେ ମହେନ୍ଦ୍ରଙ୍କ ନେତୃତ୍ୱରେ କୃଷକ ଆନ୍ଦୋଳନ ବେଳେ ପୋଲିସ ଗୁଳିରେ ୨ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ସେଇଠୁ ବିକେୟୁର ମୂଳଦୁଆ ପଡ଼ିଥିଲା ଓ ମହେନ୍ଦ୍ର ଏହାର ଅଧ୍ୟକ୍ଷ ହୋଇଥିଲେ। ରାକେଶ ଏଲ୍‌ଏଲ୍‌ବି ପାସ୍‌ କରିବା ପରେ ୧୯୮୫ରେ ସୁନୀତା ଦେବୀଙ୍କୁ ବିବାହ କରିଥିଲେ। ସେହି ବର୍ଷ ସେ ଦିଲ୍ଲୀ ପୋଲିସରେ କନଷ୍ଟେବଳ ଭାବେ ଯୋଗଦେଇଥିଲେ। ୧୯୯୦ ଦଶକରେ ରାକେଶ ଚାକିରି ଛାଡ଼ି ବାପାଙ୍କ କୃଷକ ସଙ୍ଗଠନରେ ସାମିଲ ହୋଇଥିଲେ। ମହେନ୍ଦ୍ରଙ୍କ ପରଲୋକ ପରେ ବଡ଼ଭାଇ ନରେଶ ଟିକାଏତ୍‌ ବିକେୟୁର ଅଧ୍ୟକ୍ଷ ହୋଇଥିଲେ। ରାକେଶଙ୍କୁ ଏହାର ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଥିଲା।

Share