କୋମାରେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୯।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ କୋମାରେ ଅଛନ୍ତି। ଶୁକ୍ରବାର ଏନେଇ ରାଜୁଙ୍କ ମ୍ୟାନେଜର ରାଜେଶ ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତ ଅଙ୍ଗ ଭଲ କାମ କରୁଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗୁରୁବାର ଅପେକ୍ଷା ଶୁକ୍ରବାର ରାଜୁଙ୍କ ଅବସ୍ଥା ଭଲ ରହିଛି। ପୂର୍ବରୁ ଡାକ୍ତରମାନେ କହିଥିଲେ ଯେ, ତାଙ୍କ ମସ୍ତିଷ୍କ ମରିଯାଇଛି। ଯେଉଁଥିପାଇଁ ଏହା କାମ କରୁନାହିଁ। ଏହା ପୂର୍ବରୁ ତାଙ୍କ ମସ୍ତିଷ୍କ ଫୁଲିଯାଇଥିବା ବେଳେ ଏବେ ଏହା କମିଯାଇଛି। ବର୍ତ୍ତମାନ ସେ ସେମି-କୋମାରେ ଅଛନ୍ତି ବୋଲି ରାଜେଶ ଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ଗତ ୯ ଦିନ ଧରି ଜିମ୍‌ରେ ହୃଦଘାତର ଶିକାର ହେବା ପରେ ରାଜୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଅନ୍ୟପଟେ ରାଜୁ ଶ୍ରୀବାସ୍ତବଙ୍କ ଆଶୁ ଆରୋଗ୍ୟ ପାଇଁ ତାଙ୍କ ପରିବାର ଏବଂ ସମଗ୍ର ଦେଶବାସୀ କାମନା କରୁଛନ୍ତି।

Share