Categories: ଜାତୀୟ

ଶେଷରେ ତୁଟିଲା କଳି: ଗେହଲଟଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ ସଚିନଙ୍କ ୫ ସହଯୋଗୀ

ଜୟପୁର,୨୧।୧୧: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟର ନୂତନ କ୍ୟାବିନେଟର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଛି। ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ଚାରିଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ନୂଆ କରି ଗଠନ ହୋଇଥିବା ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫ ଜଣ ସହଯୋଗୀ ସ୍ଥାନ ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଶୋକ ଗେହଲଟ ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ଜୟପୁରର ରାଜ ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ କଲରାଜ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପହଞ୍ଚିଥିଲେ। ଏଥି ସହ କ୍ୟାବିନେଟର ପୁନର୍ଗଠନର ଏକ ଅଂଶ ଭାବରେ ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ପୂର୍ବରୁ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଦଳୀୟ ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଦୀର୍ଘ ଦିନରୁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ଦେଖାଦେଥିଲେ। ଶେଷରେ ବିବାଦର ପ୍ରାୟ ଦେଢ ବର୍ଷ ପରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଗେହଲଟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ସଚିନ ପାଇଲଟ ବେଶ ଖୁସି ବ୍ୟକ୍ତ କରିଛନ୍ତି। ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ସବୁ ନେତା ଏକାଠି ହୋଇ ଲଢିବେ ଓ ଭାଜପାକୁ ହରାଇବେ ବୋଲି ସେ କହିଛନ୍ତି। ଗେହଲଟ ମଧ୍ୟ ସବୁ କଥାକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି।

Share