Categories: ଜାତୀୟ

ପ୍ରାର୍ଥୀପତ୍ର ଦାଖଲ କଲେ ଗୃହମନ୍ତ୍ରୀ

ଲକ୍ଷ୍ନୌ,୧୬।୪: କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲକ୍ଷ୍ନୌ ଲୋକସଭା ଆସନର ଭାଜପାର ଆଶାୟୀ ପ୍ରାର୍ଥୀ ରାଜନାଥ ସିଂହ ମଙ୍ଗଳବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜନାଥ ସିଂହ ପ୍ରଥମେ ହନୁମାନ ସେତୁ ମନ୍ଦିରରେ ପୂଜା କରିଥିଲେ। ଏହାପରେ ଲକ୍ଷ୍ନୌରେ ଥିବା ଭାଜପା କାର୍ଯ୍ୟାଳୟଠାରୁ ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ଏକ ରୋଡ ଶୋ’ କରିଥିଲେ। ରାଜନାଥ ତାଙ୍କ ସମର୍ଥକଙ୍କ ସହ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ସମୟରେ ତାଙ୍କ ସହ ଦଳର ବହୁ ନେତା ଏବଂ ଜେଡିୟୁ ସାଧାରଣ ସଂପାଦକ କେ ସି ତ୍ୟାଗୀ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ଏହି ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇନଥିଲେ। ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇଥିବା ଯୋଗୁ ନିର୍ବାଚନ ଆୟୋଗ ତାଙ୍କ ଉପରେ ୭୨ ଘଣ୍ଟିଆ ପ୍ରତିବନ୍ଧକ ଲଗାଇଛନ୍ତି। ଅପରପକ୍ଷରେ ଏହି ରାଲିରେ ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସମେତ ଯୋଗୀ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ୨୦୧୪ରେ ରାଜନାଥ ସିଂହ ଏହି ଆସନରୁ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

Share