ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ ହାତଗୋଡ଼ ବାନ୍ଧିବା ସହ ବନ୍ଧୁକ ଦେଖାଇ ଲୁଟପାଟ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ପ୍ରାୟ ୫୦ ଗ୍ରାମ ସୁନା, ୨ କିଲୋଗ୍ରାମ ରୂପା ଓ ୬୦ ହଜାର ଟଙ୍କା ନଗଦ ଲୁଟି ନେଇଛନ୍ତି।
ସୂଚନା ଅନୁଯାୟୀ, ଗରଜଙ୍ଗା ଗ୍ରାମର ରାଜକୁମାର କାମିଲା ଗତକାଲି ରାତି ପ୍ରାୟ ୯ଟା ସମୟରେ ଘରେ ବସି ମୋବାଇଲ ଦେଖୁଥିଲେ। ତାଙ୍କ ପତ୍ନୀ ରୋଷେଇ ଘରେ ବ୍ୟସ୍ତ ଥିବା ବେଳେ ଘରର କବାଟ ଖୋଲା ଥିଲା। ଏହି ସମୟରେ ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ୍‌ ଘର ଭିତରକୁ ପଶିଥିଲେ।
ଦୁର୍ବୃତ୍ତମାନଙ୍କୁ ଦେଖି ରାଜକୁମାର ଉଠିପଡ଼ିବାରୁ ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଭୟଭୀତ କରିବା ସହ ହାତକୁ ପଛପଟେ ବାନ୍ଧି ଦେଇଥିଲେ। ଏହାପରେ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। କିଛି ସମୟ ପରେ ତାଙ୍କ ପତ୍ନୀ ସେଠାକୁ ଆସିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ କାବୁ କରି ହାତଗୋଡ଼ ବାନ୍ଧି ଦେଇଥିଲେ।

ଘରକୁ ଲାଗିଥିବା ଅନ୍ୟ ଏକ ବଖରାରେ ଥିବା ସୁନା ଦୋକାନର ଚାବି ଦେବାକୁ ଦୁର୍ବୃତ୍ତମାନେ ରାଜକୁମାରଙ୍କୁ ଧମକ ଦେଇଥିଲେ। ସେ ଚାବି ଦେବାକୁ ମନା କରିବାରୁ ତାଙ୍କୁ ଲୁହା ରଡ୍‌ରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭୟରେ ରାଜକୁମାର ଚାବି ଦେଇଦେବା ପରେ ଦୁଇଜଣ ଦୁର୍ବୃତ୍ତ ଦମ୍ପତିଙ୍କୁ ଜଗି ରହିଥିବା ବେଳେ ଅନ୍ୟ ଦୁଇଜଣ ଚାବି ନେଇ ସୁନା ଦୋକାନର ସଟର ଖୋଲିଥିଲେ।

ସେମାନେ ଦୋକାନରୁ ପ୍ରାୟ ୫୦ ଗ୍ରାମ ସୁନା, ୨ କିଲୋଗ୍ରାମ ରୂପା ଓ ୬୦ ହଜାର ଟଙ୍କା ନଗଦ ଲୁଟି ନେଇଥିଲେ। ଘଟଣାସ୍ଥଳ ଛାଡ଼ିବା ସମୟରେ ଏନେଇ ପୋଲିସକୁ ଜଣାଇଲେ ଜୀବନରେ ମାରିଦେବେ ବୋଲି ଦମ୍ପତିଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ରାଜକୁମାର କାମିଲା ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ମାର୍ଶାଘାଇ ଥାନା ଆଇଆଇସି ତପନ ନାୟକ ଏହି ସୂଚନା ଦେଇଛନ୍ତି। ପୋଲିସ ଲୁଟେରାଙ୍କୁ ଧରିବା ସହ ଲୁଟ ସାମଗ୍ରୀ ଉଦ୍ଧାର ପାଇଁ ତଦନ୍ତ ଚଳାଇଛି।

 

Dharitri – Odisha’s No.1 Odia Daily

 

Share