Categories: ଜାତୀୟ

ରାଜୀବ ବଂଶଲ ବେସାମରିକ ବିମାନ ଚଳାଚଳ ସଚିବ

ନୂଆଦିଲ୍ଲୀ,୨୩।୯: ଏୟାର ଇଣ୍ଡିଆ ଅଧ୍ୟକ୍ଷ ରାଜୀବ ବଂଶଲଙ୍କୁ କେନ୍ଦ୍ର ସରକାର ବେସାମରିକ ବିମାନ ଚଳାଚଳ ସଚିବ ଭାବେ ନିଯୁକ୍ତ କରିଛନ୍ତି। ବେସାମରିକ ବିମାନ ଚଳାଚଳ ସଚିବ ଭାବେ କାର୍ଯ୍ୟରତ ପ୍ରଦୀପ ସିଂ ଖରୋଲାଙ୍କ କାର୍ଯ୍ୟକାଳ ଚଳିତ ମାସ ଶେଷରେ ସମାପ୍ତ ହେଉଛି। ତାଙ୍କ ସ୍ଥାନରେ ୧୯୮୮ ବ୍ୟାଚ୍‌ ନାଗାଲାଣ୍ଡ କ୍ୟାଡର ଆଇଏଏସ୍‌ ଅଫିସର ବଂଶଲ ଅବସ୍ଥାପିତ ହେବେ। ସେହିଭଳି ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ କେ.ରାଜାରାମଙ୍କୁ ଟେଲିକମ୍ୟୁନିକେଶନ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେପ୍ଟେମ୍ବର ୩୦ରେ ଏହି ପଦବୀରେ କାର୍ଯ୍ୟ କରୁଥିବା ଅଂଶୁ ପ୍ରକାଶଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ରାଜାରାମ ନୂଆକରି ଦାୟିତ୍ୱ ଗ୍ରହଣ କରିବେ। ସେହିଭଳି ଇସ୍ପାତ ସଚିବ ପ୍ରଦୀପ କୁମାର ତ୍ରିପାଠୀଙ୍କୁ କାର୍ମିକ ଏବଂ ତାଲିମ ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି।
ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ସଚିବ ଗୋବିନ୍ଦ ମୋହନ ସଂସ୍କୃତି ମନ୍ତ୍ରଣାଳୟ ସଚିବ, ଦିଲ୍ଲୀ ବିକାଶ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ ଅନୁରାଗ ଜୈନ ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ସଚିବ, ନ୍ୟାଶନାଲ ଇଣ୍ଡଷ୍ଟ୍ରିଆଲ କରିଡର ଡେଭଲପମେଣ୍ଟ କର୍ପୋରେଶନ ଲିମିଟେଡ୍‌ର ଏମ୍‌ଡି ତଥା ସିଇଓ କେ. ସଞ୍ଜୟ ମୂର୍ତ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦେବେନ୍ଦ୍ର କୁମାର ସିଂଙ୍କୁ କର୍ପୋରେଶନ ସଚିବ ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ରୀୟ ଭବିଷ୍ୟନିଧି ପାଣ୍ଠି କମିଶନର ଭାବେ କାର୍ଯ୍ୟରତ ସୁନୀଲ ବର୍ଥଓ୍ବାଲ ଶ୍ରମ ଏବଂ ନିୟୋଜନ ସଚିବ, ଶ୍ରମ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ଅନୁରାଧା ପ୍ରସାଦ ଆନ୍ତଃରାଜ୍ୟ ସେକ୍ରେଟେରିଏଟ କାଉନସିଲ ସଚିବ, ଅନସୁଲି ଆର୍ଯ୍ୟା ସରକାରୀ ଭାଷା ବିଭାଗ, ରାଜେଶ ଅଗ୍ରଓ୍ବାଲ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ସଚିବ, ଲୋକ ରଞ୍ଜନ ଓ ସୁଜାତା ଚତୁର୍ବେଦୀ ଉତ୍ତର ପୂର୍ବ ଅଞ୍ଚଳ ବିକାଶ ମନ୍ତ୍ରଣାଳୟ ଏବଂ କ୍ରୀଡା ବିଭାଗ ସଚିବ, ଭି. ଶ୍ରୀନିବାସ ପ୍ରଶାସନିକ ସଂସ୍କାର ବିଭାଗର ସ୍ବତନ୍ତ୍ର ସଚିବ, କେ. ଶ୍ରୀନିବାସ ଏବଂ ଅରୁନ କୁମାରଙ୍କୁ ଭାରତ ସରକାରଙ୍କ ସଚିବ ର଼୍ୟାଙ୍କ ଏବଂ ପେ ପ୍ରଦାନ କରାଯାଇଛି।

 

 

Share