ରାଜିନ୍ଦର ପିଆଇବି ଓଡ଼ିଶା ମୁଖ୍ୟ

ଭୁବନେଶ୍ୱର,୧୬।୩(ପି.ଆଇ.ବି.): ଭାରତୀୟ ସୂଚନା ସେବା (ଆଇଆଇଏସ୍‌)ର ବରିଷ୍ଠ ଅଧିକାରୀ ରାଜିନ୍ଦର ଚୌଧୁରୀ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଓଡ଼ିଶା ମୁଖ୍ୟ ତଥା ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପିଆଇବି ଭୁବନେଶ୍ୱର ଏବଂ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱରର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ସେ ମଧ୍ୟ ଆର୍‌ଏନ୍‌ଆଇର ଅତିରିକ୍ତ ପ୍ରେସ୍‌ ରେଜିଷ୍ଟାର ଭାବେ କାର୍ଯ୍ୟଭାର ତୁଲାଇବେ।
ପୂର୍ବରୁ ଚୌଧୁରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ମୁଖ୍ୟ ଗଣମାଧ୍ୟମ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ୧୯୯୭ ବ୍ୟାଚ୍‌ର ଅଧିକାରୀ ଚୌଧୁରୀ ପୂର୍ବରୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। ସେ ପ୍ରକାଶନ ବିଭାଗର ନିର୍ଦ୍ଦେଶକ, ନୂଆଦିଲ୍ଲୀସ୍ଥିତ ପିଆଇବିରେ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିସାରିଛନ୍ତି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ଉପସଚିବ ଥିବା ବେଳେ ତାଙ୍କ ନେତୃତ୍ୱରେ ଉପଭୋକ୍ତା ସଚେତନତା ଲାଗି ଲୋକପ୍ରିୟ ହୋଇଥିବା ‘ଜାଗୋ ଗ୍ରାହକ ଜାଗୋ’ ଅଭିଯାନ ଆରମ୍ଭ ହୋଇଥିଲା। ଦାୟିତ୍ୱ ଗ୍ରହଣ ବେଳେ ପିଆଇବି ଭୁବନେଶ୍ୱରର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତାଙ୍କୁ ସ୍ବାଗତ ଜଣାଇଥିଲେ। ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥମ ଦିନରେ ସେ ପତ୍ର ସୂଚନା କାର୍ଯ୍ୟାଳୟ/ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହିତ ଦୈନନ୍ଦିନ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ।