Categories: ଖେଳ

ରାଜେଶ ସିଏସ୍‌କେର ନେଟ୍‌ ବୋଲର

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି)-
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଓଡ଼ିଶା ଖେଳାଳିମାନେ ନିକଟ ଅତୀତରେ ଖେଳିବାରେ ସକ୍ଷମ ହୋଇନାହାନ୍ତି। ନିଲାମ ପ୍ରକ୍ରିୟାରେ ମଧ୍ୟ ସେମାନେ ସାମିଲ ହୋଇପାରି ନାହାନ୍ତି। ମାତ୍ର ଆଗାମୀ ସଂସ୍କରଣ ପାଇଁ ଦ୍ରୁତ ବୋଲର ରାଜେଶ ମହାନ୍ତି ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)ର ନେଟ୍‌ ବୋଲର ହେବାର ସୌଭାଗ୍ୟ ପାଇଛନ୍ତି। ରାଜେଶ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଜଣେ ପଞ୍ଜୀକୃତ ଖେଳାଳି ଏବଂ ଏମ୍‌ଆରଏଫ୍‌ ପେସ୍‌ ଫାଉଣ୍ଡେଶନରେ ଫୁଲ୍‌ ଟାଇମ୍‌ ଟ୍ରେନିଂ ନେଇଛନ୍ତି। ଏମ୍‌ଆରଏଫ୍‌ ଫାଉଣ୍ଡେଶନ ପକ୍ଷରୁ ରାଜେଶଙ୍କ ନାମ ସୁପାରିସ କରାଯାଇଛି। ଜୁନିୟର କ୍ରିକେଟରେ ନିଜ ପ୍ରତିଭା ଦେଖାଇଥିବା ଏହି ୨୦ ବର୍ଷୀୟ ଦ୍ରୁତ ବୋଲର ଏବେ ଓଡ଼ିଶା ସିନିୟର କ୍ରିକେଟ ଦଳର ସଦସ୍ୟ। ଆଗାମୀ ଆଇପିଏଲ୍‌ରେ ସିଏସ୍‌କେର ନାମୀ ଖେଳାଳିଙ୍କୁ ନେଟ୍ସରେ ବୋଲିଂ କରି ଅନେକ ଅଭିଜ୍ଞତା ହାସଲ କରିବେ ରାଜେଶ। ନିଜ ଦକ୍ଷତା ବଢ଼ାଇବାରେ ଏହା ନିଶ୍ଚିତ ସହାୟକ ହେବ। ଏପରି ଏକ ସୁଯୋଗ ପାଇଥିବାରୁ ରାଜେଶଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।

Share