ରାଜେନ୍ଦ୍ରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନାଉଗଁା,୧ା୭(ସୁଧା ବେହୁରା): ନାଉଗଁା ବ୍ଲକ ଅନ୍ତର୍ଗତ ଗୋଠଦା ଗ୍ରାମର ରାଜେନ୍ଦ୍ର ମଲିକ କର୍କଟ ରୋଗରେ ପୀଡ଼ିତ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଏନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।
ଦଳିତ ପରିବାରର ହୋଇଥିବା ବେଳେ ଦିନମଜୁରିଆ କାର୍ଯ୍ୟ କରନ୍ତି। ପରିବାର କହିଲେ ବୃଦ୍ଧ ବାପା ଯୋଗେନ୍ଦ୍ର ମଲିକ (୬୫), ମା ପୂର୍ଣ୍ଣିମା ମଲିକ(୬୨), ରାଜେନ୍ଦ୍ରଙ୍କ ସ୍ତ୍ରୀ ରୀନା (୪୨) ଓ ଗୋଟିଏ ନାବାଳକ ପୁଅ (୧୫)ଙ୍କୁ ବୁଝାଏ। ବହୁ ଦିନରୁ ରାଜେନ୍ଦ୍ରଙ୍କ ଗାଲରେ ଏକ ମାଂସପିଣ୍ଡୁଳା ବୃଦ୍ଧି ପାଉଥିଲା। ଏନେଇ ସେ ଡାକ୍ତରଖାନା ଯାଇ ପରୀକ୍ଷା କରିବା ପରେ ସେ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ଏକ ଘରୋଇ ହସ୍ପିଟାଲରେ ସେ ଅସ୍ତ୍ରୋପଚାର କରିଥିଲେ। ଏହି ସମୟରେ ପାଖରେ ଯାହା ଅର୍ଥ ଥିଲା ତାହା ଖର୍ଚ୍ଚ ହୋଇଯାଇଥିଲା। ଅଧିକ ଆବଶ୍ୟକ ପଡ଼ିବାରୁ ଧାରକରଜ କରାଯାଇଥିଲା। ଏବେ ପରବର୍ତ୍ତୀ ଚିକିତ୍ସା ପାଇଁ ଆଉ ଅର୍ଥ ନାହିଁ। ଯାହାଫଳରେ ସେ ଆଉ ଚିକିତ୍ସିତ ହୋଇ ପାରୁନାହାନ୍ତି। ଅପରପକ୍ଷେ ରାଜେନ୍ଦ୍ରଙ୍କ ଉପରେ ନିର୍ଭର କରୁଥବା ପରିବାର ସଦସ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୃଦ୍ଧ ମା’ବାପା ବୟସ ଯୋଗୁ ବାହାରକୁ ମୂଲ ଲାଗିବା ପାଇଁ ଯାଇପାରୁନାହାନ୍ତି। ଅପରପକ୍ଷେ ନାବାଳକ ପୁଅ ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ କରିଥିଲେ ମଧ୍ୟ ଅର୍ଥାଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ସ୍ତ୍ରୀ ରୀନା ପର ଘରେ ମୂଲ ଲାଗି ଯାହା ଆଣୁଛନ୍ତି ସେଥିରେ ପରିବାର ଚଳାଇବା ଓ ସ୍ବାମୀଙ୍କ ଚିକିତ୍ସା କରିବା କଷ୍ଟକର ହୋଇପଡ଼ୁଛି। ଅର୍ଥାଭାବରୁ ରାଜେନ୍ଦ୍ର ଘର ଖଣ୍ଡେ କରିପାରୁ ନ ଥିବାରୁ ଜରିପାଲ ତଳେ ସମସ୍ତଙ୍କ ଜୀବନ ବିତୁଛି। ଏଭଳି ସ୍ଥିତିରେ ତାଙ୍କ ଚିକିତ୍ସା ଠିକ୍‌ ସମୟରେ ନ ହେଲେ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଏନେଇ ସରକାରୀ ସାହାଯ୍ୟ ମିଳିଲେ ରାଜେନ୍ଦ୍ରଙ୍କ ଅଧିକ ଚିକିତ୍ସା କରାଯାଇପାରିବ ବୋଲି ପରିବାର ଲୋକେ କହିଛନ୍ତି।