ପ୍ରଚାର ଆରମ୍ଭ କଲେ ରାଜେନ୍ଦ୍ର

ଭଦ୍ରକ ଅଫିସ,୧୯ା୧୦: ଉପନିର୍ବାଚନ ପାଇଁ ଧାମନଗରରେ ୩ ପ୍ରମୁଖ ଦଳର ପ୍ରଚାର ଜମୁଥିବା ବେଳେ ମଙ୍ଗଳବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ। ତିହିଡ଼ି ବ୍ଲକ ଦୋଳସାହି ଛକରେ ହନୁମାନଙ୍କୁ ପୂଜାର୍ଚ୍ଚନା କରି ସମର୍ଥକଙ୍କ ସହ ରାଜେନ୍ଦ୍ର ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଅଚକ, କଁାପଡ଼ା, ପାଳସାହି, ଶ୍ୟାମସୁନ୍ଦରପୁର, ଈଶ୍ୱରପୁର, ହସନାବାଦ, ଧୂଷୁରୀ, ବୟାଙ୍ଗଡିହି ଆଦି ପଞ୍ଚାୟତରେ ଲୋକଙ୍କୁ ଭେଟି ନୌକା ଚିହ୍ନରେ ତାଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ। ତାଙ୍କ ସମର୍ଥକମାନେ ନୌକା ଚିହ୍ନର ପ୍ଲାକାର୍ଡ ଧରି ‘ରାଜୁ ନାହିଁ ତ ଭୋଟ୍‌ ନାହିଁ’, ‘ରାଜୁ ଭାଇ ଜିନ୍ଦାବାଦ୍‌’ ଆଦି ନାରା ଦେଇ ପ୍ରଚାରରେ ସାମିଲ ହୋଇଥିଲେ।
ବୟାଙ୍ଗଡିହିଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ବେଳେ ଖାନ୍‌କା ସରିଫ୍‌ରେ ସେ ଚାଦର ଚଢ଼ାଇଥିଲେ। ଏହି ପ୍ରଚାର ଅବସରରେ ରାଜେନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଉପନିର୍ବାଚନ ପାଇଁ ବିଭିନ୍ନ ଦଳର କେତେ ହେଭିୱେଟ୍‌ ନେତା ଆସିବେ। କିନ୍ତୁ ନିର୍ବାଚନ ପରେ ସେମାନଙ୍କର ଦେଖା ମିଳିବ ନାହିଁ। ମୁଁ ସବୁବେଳେ ଲୋକଙ୍କ ସାଙ୍ଗରେ ଥିଲି, ରହିଛି ଓ ରହିବି ମଧ୍ୟ। ଧାମନଗର ମାଟି ମୋର କର୍ମଭୂମି। ଏଣୁ ଧାମନଗରବାସୀ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ଜିତାଇବେ ବୋଲି ମୋର ବିଶ୍ୱାସ ରହିଛି। ମହିଳା, ଚାଷୀ ଓ ଯୁବକମାନେ ଆଶାତୀତ ସମର୍ଥନ ଜଣାଇଥିବା ସେ ପ୍ରକାଶ କରିଛନ୍ତି।